ଅଟକ କେନ୍ଦ୍ର ନିର୍ମାଣ ପାଇଁ କୌଣସି ଆଦେଶନାମା ପାଇନି : କେରଳ ମୁଖ୍ୟମନ୍ତ୍ରୀ

ଥିରୁବନନ୍ତପୁରମ, ଏଜେନ୍ସି : ବେଆଇନ ଅନୁପ୍ରବେଶକାରୀଙ୍କ ପାଇଁ ଅଟକ କେନ୍ଦ୍ର ନିର୍ମାଣ କରିବାର ପ୍ରସ୍ତାବ ନାହିଁ ବୋଲି ଶୁକ୍ରବାର କେରଳର ସିପିଆଇ(ଏମ୍) ସରକାର ସ୍ପଷ୍ଟ କରିଛନ୍ତି। ଲୋକଙ୍କ ବିଭ୍ରାନ୍ତ କରିବା ପାଇଁ କିଛି ଲୋକ ଗୁଜବ ପ୍ରଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ରାଜସ୍ଥାନ ସରକାର ଅଟକ କେନ୍ଦ୍ର ନିର୍ମାଣ କରିବେନି।

ବିଜୟନଙ୍କ ମତରେ ୨୦୧୨ରେ କେନ୍ଦ୍ର ସରକାର ବେଆଇନ ଅନୁପ୍ରବେଶକାରୀଙ୍କ ପାଇଁ ଅଟକ କେନ୍ଦ୍ର ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୬ରେ ସାମାଜିକ ନ୍ୟାୟ ବିଭାଗର ନିର୍ଦ୍ଦେଶକ ପୂର୍ବର ନିର୍ଦ୍ଦେଶ ପ୍ରତି ଦୃଷ୍ଟି ଦେବାକୁ ଚିଠି ଲେଖିଥିଲେ। ତେବେ ସେ ସମ୍ପର୍କରେ କୌଣସି ଫାଇଲ ତାଙ୍କ ଦୃଷ୍ଟିକୁ ଅଣାଯାଇନି। ମୁଖ୍ୟମନ୍ତ୍ରୀ ପିନାରାୟୀଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ ୨୦୧୨ରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ରାଜ୍ୟକୁ ଚିଠି ଲେଖି ବେଆଇନ ଅନୁପ୍ରବେଶକାରୀଙ୍କ ପାଇଁ ଅଟକ କେନ୍ଦ୍ର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।