କେରଳ ବିମାନ ଦୁର୍ଘଟଣାରେ ୧୮ ମୃତ ଓ ୧୭୦ ଉଦ୍ଧାର: ଜାରି ରହିଛି ତଦନ୍ତ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: କେରଳ ବିମାନ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ୨ ପାଇଲଟଙ୍କ ସମେତ ୧୮ ଜଣ ପ୍ରାଣ ହରାଇଥିବାବେଳେ ୧୭୦ ଜଣ ସୁରକ୍ଷିତ ଅଛନ୍ତି। ଆହତଙ୍କୁ ମଲ୍ଲପୁରମ ଓ କୋଝିକୋଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ବିମାନ ଦୁର୍ଘଟଣା ପରେ ରିଲିଫ କାର୍ଯ୍ୟ ପାଇଁ ଦିଲ୍ଲୀ ଓ ମୁମ୍ବାଇରୁ ୨ଟି ସ୍ୱତନ୍ତ୍ର ବିମାନ କେରଳକୁ ପଠାଯାଇଛି। ଏଥିସହିତ ଘଟଣାର ତଦନ୍ତ କରିବା ପାଇଁ ଏଏଆଇବି, ଡିଜିସିଏ ଓ ବିମାନ ନିରାପତ୍ତା ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାଗ୍ରସ୍ତ ବିମାନରୁ ଡିଜିଟାଲ ଫ୍ଲାଇଟ ଡାଟା ରେକର୍ଡର ଓ କୋକପିଡ ଭଏସ୍ ରେକର୍ଡର ଏଏଆଇବି ପକ୍ଷରୁ ଉଦ୍ଧାର କରାଯାଇଛି। ଏହାକୁ ଦିଲ୍ଲୀ ନିଆଯାଇ ପରବର୍ତ୍ତୀ ତଦନ୍ତ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।