ଘରୋଇ ଶିକ୍ଷାନୁଷ୍ଠାନର ମନଇଚ୍ଛା ଫି’ ଆଦାୟ ଉପରେ ଅଙ୍କୁଶ ଲଗାଇବାକୁ କଂଗ୍ରେସ ପକ୍ଷରୁ ଦାବୀପତ୍ର

କେନ୍ଦୁଝର,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲାରେ କରୋନା ମହାମାରୀ ସମୟରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକର ମନଇଛା ଫି’ ଆଦାୟ ଉପରେ ଅଙ୍କୁଶ ଲଗାଇବାକୁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଦାବୀ କରାଯାଇଛି । ଏନେଇ ଡିସିସି ତରଫରୁ ଜିଲ୍ଲାପାଳଙ୍କଠାରେ ଦାବୀପତ୍ର ପ୍ରଦାନ କରାଯାଇଛି । ଦୀର୍ଘ ୫ମାସ ହେବ ଲକଡାଉନ ଯୋଗୁ ଲୋକେ ଜୀବିକା ହରାଇ ଘୋର ଆର୍ଥିକ ସଙ୍କଟର ସମୁଖୀନ ହେଉଛନ୍ତି । ମାର୍ଚ୍ଚ ମାସଠାରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଯାଉନଥିବାବେଳେ ମାସେ ଦେଢ଼ ମାସ ହେବ ସ୍କୁଲଗୁଡ଼ିକରେ ଅନଲାଇନ ଶିକ୍ଷା ଦିଆଯାଉଛି । ପ୍ରାୟ ୬୦ ଭାଗ ପିଲାଙ୍କ ପାଖରେ ସ୍ମାର୍ଟଫୋନ ବା ଲାପଟପ ନାହିଁ ତେଣୁ ଅନଲାଇନ ଶିକ୍ଷା ଫଳପ୍ରଦ ହେଉନଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ସରକାରୀ ତାଗିଦକୁ ବେଖାତିର କରି ମାସକୁ ମାସ ମନଇଚ୍ଛା ଫି’ ଦାଖଲ କରିବାକୁ ବାଧ୍ୟ କରୁଛନ୍ତି । ଫଳରେ ଅଭିଭାବକ, ଛାତ୍ରଛାତ୍ରୀଙ୍କ ଉପରେ କରୋନା ଚାପ ସାଙ୍ଗକୁ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକର ଆର୍ଥିକ ଚାପ କଷ୍ଟଦାୟକ ହେଉଛି । ତେଣୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ଅନ୍ତତଃପକ୍ଷେ ୪ ମାସର ଫି’ ଛାଡ଼ କରିବା ସହ ମନଇଚ୍ଛା ଫି’ ଆଦାୟ ଉପରେ ପ୍ରଶାସନ ଅଙ୍କୁଶ ଲଗାଇଲେ ଆର୍ଥିକ ଅନଟନରେ ଥିବା ଅଭିବାଭକମାନେ ଉପକୃତ ହୁଅନ୍ତେ ବୋଲି କଂଗ୍ରେସ ଦାବୀ କରିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଡିସିସି ସଭାପତି ମୋହନ ପରିଡ଼ା,ଟାଉନ କଂଗ୍ରେସ ସଭାପତି ବସନ୍ତ ଦାସ, ଡିସିସି ସାମାଜିକ ଗଣମାଧ୍ୟମ ସଭାପତି ସୁଢ଼ଳ ସେଠୀ, କଂଗ୍ରେସ ନେତା ରତ୍ନାକର ଜେନା ଓ ବିଜୟ କୁମାର ରଣାଙ୍କ ସମେତ ବହୁ କଂଗ୍ରେସ ନେତା ତଥା କର୍ମୀ ଉପସ୍ଥିତ ଥିଲେ ।