କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଦାବି: କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଧର୍ମେନ୍ଦ୍ର ପ୍ରଧାନ ଓ ସୁରେଶ ପୂଜାରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ମହାନଦୀ କୋଇଲା ଖଣି ଦ୍ୱାରା ପରିଚାଳିତ ଏକ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରଗଡ଼ ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି। ଏନେଇ ସେମାନେ ଆଜି କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ କହିଛନ୍ତି ଜାତୀୟ ଶିକ୍ଷାନୀତି-୨୦୨୦ ଅନୁସାରେ ସରକାର ସ୍କୁଲ ଶିକ୍ଷା ପାଇଁ ଗ୍ରସ ଏନରେଲମେଣ୍ଟ ରେସିଓ(ଜିଇଆର) ବୃଦ୍ଧି ଉପରେ ଗୁତ୍ୱାରୋପ କରିଛନ୍ତି। ପ୍ରାଥମିକ ସ୍ତରରେ ଓଡିଶାର ଜିଇଆର ଜାତୀୟ ହାରାହାରିରୁ ବହୁ ତଳେ ରହିଛି।

ମହାନଦୀ କୋଲ ଫିଲ୍ଡ ଲିମିଟେଡ ଓଡିଶାର କେବଳ ଶକ୍ତି କ୍ଷେତ୍ରରେ ନୁହେଁ ବଂର ସିଏସଆର ଏକ୍ଟିଭିଟିଜ ମାଧ୍ୟମରେ ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛି। ନିୟମ ଅନୁସାରେ ପବ୍ଲିକ ସେକ୍ଟର ଅଣ୍ଡର ଟେକିଂ ସ୍କୁଲଏଣ୍ଡ ଏଜୁକେଶନ ମିନିଷ୍ଟ୍ରିର ମିଳିତ ଚୁକ୍ତିରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ପନସର କରିଥାଏ। ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଲଖନପୁର ପରି ବିଭିନ୍ନ ସ୍ଥାନରେ ଏମସିଏଲ ପକ୍ଷରୁ କୋଇଲା ଖନନ କରାଯାଉଛି। ତେଣୁ ଏମସିଏଲ ପକ୍ଷରୁ ଏଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଗଲେ ଆଖପାଖ ଅଞ୍ଚଳର ଅନେକ ଛାତ୍ରଛାତ୍ରୀଙ୍କ ସହ ଏମସିଏଲରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପିଲାମାନେ ଉପକୃତ ହୋଇପାରିବେ। ତେଣୁ ବ୍ରଜରାଜନଗରରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଧର୍ମେନ୍ଦ୍ର ପ୍ରଧାନ ଏବଂ ସୁରେଶ ପୂଜାରୀ କୋଇଲା ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ସ୍ଥାନୀୟ ଅଞ୍ଚଳବାସୀ ବହୁ ଦିନରୁ ଏଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଦାବି କରି ଆସୁଛନ୍ତି।