ପଡ଼ୋଶୀ ରାଜ୍ୟକୁ କେଜ୍ରିୱାଲଙ୍କ ଆବେଦନ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନିଜ ରାଜ୍ୟରେ ବ୍ୟବସ୍ଥା କରନ୍ତୁ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନିଜ ରାଜ୍ୟରେ ସମସ୍ତ ପ୍ରକାର ବ୍ୟବସ୍ଥା କରନ୍ତୁ ଫଳରେ ସେମାନଙ୍କୁ ଆଉ ଦିଲ୍ଲୀ ଆସିବାର ଆବଶ୍ୟକତା ପଡ଼ିବନି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପଡୋଶୀ ରାଜ୍ୟକୁ ଏଭଳି ଏକ ଆବେଦନ କରିଛନ୍ତି। କେଜ୍ରିୱାଲ କହିଛନ୍ତି କି, ଦିଲ୍ଲୀ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା ହେବା ନେଇ ଉପରାଜ୍ୟପାଳ ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ଲାଗୁ କରାଯିବ। ଆଉ ଏଥିରେ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବେ।

କେଜ୍ରିୱାଲ ପଡ଼ୋଶୀ ରାଜ୍ୟକୁ ନିଜ ରାଜ୍ୟରେ ରୋଗୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଆବେଦନ କରିଥିଲେ ମଧ୍ୟ ଏଭଳି ସ୍ଥିତିରେ ଖୁବ୍ କମ୍ ଲୋକ ଚିକିତ୍ସା ପାଇଁ ଦିଲ୍ଲୀ ଆସୁଛନ୍ତି। ଦିଲ୍ଲୀରେ କେବଳ ଦିଲ୍ଲୀବାସୀଙ୍କର ହିଁ ଚିକିତ୍ସା କରାଯାଉଛି। କିନ୍ତୁ କରୋନା ପୂର୍ବରୁ ପାଖାପାଖି ୫୦ ପ୍ରତିଶତ ବାହାର ରାଜ୍ୟର ଲୋକ ଚିକିତ୍ସା ପାଇଁ ଦିଲ୍ଲୀ ଆସୁଥିଲେ ବୋଲି ଖୋଦ୍ କେଜ୍ରିୱାଲ ସ୍ୱୀକାର କରିଛନ୍ତି।

କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ନିଜ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କେଜ୍ରୱାଲ ଦିଲ୍ଲୀର ରାଜନୈତିକ ଦଳକୁ ନିଜ ନିଜ ମଧ୍ୟରେ ନ ଲଢ଼ିବା ପାଇଁ ମଧ୍ୟ ଆବେଦନ କରିଛନ୍ତି। ସେ କହିଛନ୍ତି କି, ଏପରି ସମୟରେ ଆମେ ଯଦି ନିଜ ନିଜ ମଧ୍ୟରେ ଲଢ଼ିବା ତେବେ କରୋନା ଜିତିଯିବ ଆଉ ଆମେ ହାରିଯିବା। ଆମେ ସମସ୍ତେ ଯେପର୍ଯ୍ୟନ୍ତ ଏକଜୁଟ ହୋଇନାହୁଁ ସେପର୍ଯ୍ୟନ୍ତ କରୋନାକୁ ହରାଇ ପାରିବୁ ନାହିଁ।

ସୂଚନାଯୋଗ୍ୟ, ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୩୦୯କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୧୩୬୬ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୫୦୪ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜଧାନୀ ଦିଲ୍ଲୀରେ ୧୮ ହଜାର ୫୪୩ ଚିକିତ୍ସାଧୀନ ଥିବାବେଳେ ୯୦୫ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୧୧ ହଜାର ୮୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।