ନୂଆ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଉଚ୍ଚ ଶିକ୍ଷା ଗ୍ରହଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଅନେକ ଛାତ୍ରଛାତ୍ରୀ ଦିଲ୍ଲୀ ମୁହାଁ ହୋଇଥାନ୍ତି। କିନ୍ତୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ୁଥିବାରୁ ଦିଲ୍ଲୀ ୟୁନିଭର୍ସିଟି ଓ କଲେଜରେ ପ୍ରତ୍ୟେକ ବର୍ଷ କଟ୍ ଅଫ୍ ମାର୍କ ବଢ଼ାଇ ଦିଆଯାଇଥାଏ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ନୂଆ ୟୁନିଭର୍ସିଟି ଓ କଲେଜ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ରକୁ ଚିଠି ଲେଖିଛନ୍ତି। କେଜ୍ରିୱାଲ ଚିଠିରେ ଲେଖିଛନ୍ତି ଯେ, ପ୍ରତ୍ୟେକ ବର୍ଷ କଟ୍ ଅଫ୍ ବଢ଼ିବା ପଛରେ ଛାତ୍ରଛାତ୍ରୀଙ୍କର ନୁହେଁ ବରଂ ସବୁ ଭୁଲ୍ ସରକାରଙ୍କର। ଆମକୁ ଅଧିକ ସଂଖ୍ୟାରେ ଉଚ୍ଚ ଶିକ୍ଷା ସଂସ୍ଥା ପ୍ରସ୍ତୁତ କରିବାକୁ ପଡ଼ିବ ଯଦ୍ୱାରା ପ୍ରତିଭାଶାଳୀ ଛାତ୍ରଙ୍କୁ ଉଚ୍ଚ ଶିକ୍ଷା ମିଳିପାରିବ।

କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଦ୍ୱାଦଶ ପାସ୍ କରିବା ପରେ ଯେଉଁ ଛାତ୍ରଛାତ୍ରୀମାନେ କଲେଜରେ ଆଡମିସନ ନେବାକୁ ଚାହୁଁଛନ୍ତି ସେମାନଙ୍କୁ ନାନାଦି ସମସସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯଦି କଟ୍ ଅଫ୍ ୧୦୦ ପ୍ରତିଶତ ରହିବ ତେବେ ୯୫, ୯୦, ୮୦ ୬୦ ପ୍ରତିଶତ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କର କ’ଣ ହେବ। ସେମାନଙ୍କର ମଧ୍ୟ ଉଚ୍ଚ ଶିକ୍ଷାର ଅଧିକାର ଥିବାବେଳେ କଟ୍ ଅଫ୍ ଏତେ ବଢ଼ିବା ଠିକ୍ ନୁହେଁ। ଏଥିରେ ପିଲାଙ୍କର କୌଣସି ଭୁଲ୍ ନାହିଁ ଆଜି ପର୍ଯ୍ୟନ୍ତ ଦିଲ୍ଲୀରେ ଯେତିକି ସରକାର ଆସିଛନ୍ତି ସେମାନଙ୍କ ସମେତ କେନ୍ଦ୍ର ସରକାରଙ୍କର ଭୁଲ୍ ରହିଥିବା କେଜ୍ରିୱାଲ କହିଛନ୍ତି।