ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଓ ଓମିକ୍ରନ୍ ବିପଦ ଦିନକୁଦିନ ବଢ଼ିବାରେ ଲାଗିଛି। ଆଜି ୨ଟି ନୂଆ ଓମିକ୍ରନ୍ ମାମଲା ସାମ୍ନାକୁ ଆସିବା ଯୋଗୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଷ୍ଟର ଡୋଜକୁ ଅନୁମତି ପ୍ରଦାନ କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, କରୋନା ମାମଲା ବଢ଼ୁଥିବାରୁ ସମସ୍ତ ସକ୍ରିୟ ରୋଗୀଙ୍କ ନମୁନା ଜିନମ ସିକ୍ୱେସିଂ ପାଇଁ ପଠାଯାଉଛି। ହୋମ ଆଇସୋଲେସନ ବ୍ୟବସ୍ଥାକୁ ଆହୁରି ତ୍ୱରାନ୍ୱିତ କରାଯିବ। ଏଥିସହିତ ଦିଲ୍ଲୀରେ ୯୦ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଓ ୭୦ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି। ସେଥିପାଇଁ ଉଭୟ ଡୋଜ୍ ନେଇଥିବା ଲୋକଙ୍କୁ ବୁଷ୍ଟର ଡୋଜ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିବେଦନ କରିଛୁ। ଓମିକ୍ରୋନ୍ ବିରୋଧରେ ଲଢ଼ିବା ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତ ଅଛନ୍ତି। ଏଥିସହିତ କରୋନା ପାଇଁ ଦିଆଯାଉଥିବା ମାଗଣା ରାସନକୁ ଆଉ ୬ ମାସ ବଢ଼ାଇ ଦେବା ଲାଗି ଦିଲ୍ଲୀ କ୍ୟାବିନେଟ ନିଷ୍ପତ୍ତି ନେଇଛିି। ଫଳରେ ଏବେ ମେ’ ୩୧ ପର୍ଯ୍ୟନ୍ତ ମାଗଣା ରାସନ ଦିଆଯିବ।