ଆଜି କୃଷକ ନେତାଙ୍କ ସହ କେଜରିୱାଲଙ୍କ ଆଲୋଚନା

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ରୀୟ କୃଷି ବିଲ ଫେରାଇ ନେବା ଦାବିରେ ଦିଲ୍ଲୀ ସୀମାରେ ପାଖାପାଖି ୩ ମାସ ହେବ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶର ଚାଷୀଙ୍କ ଧାରଣା ଜାରି ରହିଛି। ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଆନ୍ଦୋଳନରତ ଚାଷୀଙ୍କୁ ଭେଟିବାକୁ ଯାଉଛନ୍ତି। କେଜ୍ରିୱାଲ ଚାଷୀ ନେତାଙ୍କ ସହ ମଧ୍ୟାହ୍ନ ଭୋଜନ ସମୟରେ ଆଲୋଚନା କରିବେ। ଏହି ଆଲୋଚନା ତିନି କୃଷି ବିଲ ସଂପର୍କିତ। ଏଥିସହିତ ମୁଖ୍ୟମନ୍ତ୍ରୀ ଚାଷୀ ସଂଗଠନର ନେତାଙ୍କୁ ମଧ୍ୟାହ୍ନ ଭୋଜନ ଦେବେ।

ସୂଚନାଯୋଗ୍ୟ, ଆମ ଆଦମୀ ପାର୍ଟି ଆରମ୍ଭରୁ କୃଷି ଆଇନ ଫେରାଇ ନେବା ଦାବି କରିବା ସହିତ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଛି। ତେଣୁ ଧାରଣାରତ ଚାଷୀମାନେ କେଜ୍ରିୱାଲଙ୍କ ଠାରୁ ଅନେକ କିଛି ଆଶା କରୁଛନ୍ତି। ଆପ ସାଂସଦ ସଂଜୟ ସିଂହ ଚାଷୀମାନଙ୍କ ସମର୍ଥନରେ ଉତ୍ତର ପ୍ରଦେଶରେ ଚାଷୀ ମହାପଞ୍ଚାୟତ ଲାଗି ପ୍ରସ୍ତୁତି କରୁଛନ୍ତି। ସଂଜୟ ସିଂହଙ୍କ ଅନୁସାରେ ଫେବୃଆରୀ ୨୮ ତାରିଖରେ ଆୟୋଜନ ହେବାକୁ ଥିବା ଏହି ମହାପଞ୍ଚାୟତକୁ ଚାଷୀ ନେତାମାନଙ୍କୁ ଅରବିନ୍ଦ କେଜ୍ରିୱାଲ ସମ୍ବୋଧିତ କରିବେ।