ଖୋଲିଲା କେଦାରନାଥ ଧାମ, ୬ ମାସ ପାଇଁ ଚାଲିବ ପୂଜାର୍ଚ୍ଚନା

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଜାରି ରହିଥିବା ବେଳେ ବୁଧବାର ସକାଳ ୬ଟା ୧୦ରେ ପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର ଖୋଲିଛି। ବିଧି ବିଧାନ ଓ ପରଂପରା ସହିତ ଭଗବାନ ଶିବଶଙ୍କରଙ୍କ ପ୍ରବେଶ ଦ୍ୱାରକୁ ଖୋଲାଯାଇଛି । କେଦାରନାଥ ଧାମର ମୁଖ୍ୟ ପୂଜାରୀଙ୍କ ଉପସ୍ଥିତିରେ ମନ୍ଦିରର ଦ୍ୱାର ଖୋଲାଯାଇଥିଲା । କିନ୍ତୁ କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଲାଗୁ ହୋଇଥିବା ବେଳେ ଏଥର ଶ୍ରଦ୍ଧାଳୁଙ୍କୁ କେଦାରନାଥ ଯିବା ପାଇଁ ଅନୁମତି ମିଳିବ ନାହିଁ ।

ଦେବସ୍ଥାନମ ବୋର୍ଡର ୧୬ ଜଣ ଲୋକଙ୍କୁ କେବଳ କେଦାରନାଥ ଯିବାକୁ ଅନୁମତି ମିଳିଛି । ଏହା ବ୍ୟତୀତ ଧାମରେ କିଛି ଉପସ୍ଥିତ ଶ୍ରମିକ ଓ ପୋଲିସକୁ ମଧ୍ୟ ଅନୁମତି ମିଳିଛି । ଏଥର କେଦାରନାଥଙ୍କ ସାମଗ୍ରୀ ଗୋଟିଏ ଦିନ ପୂର୍ବରୁ ପହଞ୍ଚି ଯାଇଥିଲା । ଏହା ପରେ ପୁଣି ଥରେ ଆଗାମୀ ୬ ମାସ ଯାଏଁ ଏଠାରେ ପୂଜାର୍ଚ୍ଚନା ହେବ । ବର୍ତ୍ତମାନ କେଦାନାଥ ଧାମରେ ପ୍ରବଳ ଥଣ୍ଡା ହେଉଛି । ଏହା ପରେ ବି ଶ୍ରଦ୍ଧାଳୁମାନେ ଭଗବାନଙ୍କୁ ପୂଜାର୍ଚ୍ଚନା କରିଛନ୍ତି । କିନ୍ତୁ ବାହାରୁ ଶ୍ରଦ୍ଧାଳୁମାନେ ଏଠାକୁ ଯାଇପାରିବେ ନାହିଁ । କାରଣ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ନାହିଁ ।

ସୂଚନାଯୋଗ୍ୟ, ଭାରତର ହିନ୍ଦୁ ଧାମଗୁଡ଼ିକ ମଧ୍ୟରେ କେଦାରନାଥ ଧାମ ଅନ୍ୟତମ । ଉତ୍ତରାଖଣ୍ଡରେ ଏହାକୁ ଏକ ଧାମ ଭାବରେ ଗ୍ରହଣ କରାଯାଇଥାଏ । ଏହି ପବିତ୍ର ଧାମରେ ଭୀଷଣ ଥଣ୍ଡା ଯୋଗୁଁ ପ୍ରତି ବର୍ଷ ଅକ୍ଟୋବର-ନଭେମ୍ବର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖାଯାଇଥାଏ । ପୁଣି ଏପ୍ରିଲ-ମେ’ ମାସରେ କେଦାରନାଥ ଦ୍ୱାର ଖୋଲିଥାଏ ।