ଅଟକ ଥିବା ୫ କଶ୍ମୀର ନେତା ମୁକ୍ତ

ଶ୍ରୀନଗର,ଏଜେନ୍ସି: ଜମ୍ମୁ-କଶ୍ମୀରରେ ପାଞ୍ଚମାସ ଧରି ଅଟକ ରହିଥିବା ୫ ନେତାଙ୍କୁ ଗୁରୁବାର ମୁକ୍ତ କରାଯାଇଛି। ଗତ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେପରେ ଏହି ନେତାମାନଙ୍କୁ ସରକାରଙ୍କ ପକ୍ଷରୁ ଅଟକ ରଖାଯାଇଥିଲା। ତେବେ ଅଟକ ରହିଥିବା ୩ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କୁ ଏପର୍ଯ୍ୟନ୍ତ ମୁକ୍ତ କରାଯାଇ ନାହିଁ। ସଦ୍ୟ ମୁକ୍ତ ହୋଇଥିବା ୫ ରାଜନେତାଙ୍କ ମଧ୍ୟରେ ୩ ଜଣ ପୂର୍ବତନ ବ୍ୟବସ୍ଥାପକ ଅଛନ୍ତି। ଏହି ୫ ଜଣ ହେଲେ ନ୍ୟାସନାଲ କନଫରେନ୍ସ ନେତା ଆଲତାଫ କାଲୁ, ସୌକତ ଗନାଇ ଓ ସଲମାନ ସାଗର ଏବଂ ପିଡିପି ନେତା ନିଜାମୁଦ୍ଦିନ୍ ଭଟ୍ଟ ଓ ମୁଖତାର ବନ୍ଧ। ସଲମାନ ସାଗର ଶ୍ରୀନଗର ପୌରନିଗମର ପୂର୍ବତନ ମେୟର। ଏମଏଲଏ ହଷ୍ଟେଲରେ ଥିବା ଏହି ୫ ଜଣଙ୍କୁ ଗୁରୁବାର ଅପହାହ୍ଣରେ ମୁକ୍ତ କରାଯାଇଛି। ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ଅଟକ ଥିବା ୨୧ ଜଣ ନେତାଙ୍କୁ ମୁକ୍ତ କରାଗଲାଣି।

ନ୍ୟାସନାଲ କନଫରେନ୍ସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଶ୍ରୀନଗରର ଗୋପକାର ରୋଡ଼ସ୍ଥିତ ତାଙ୍କ ଘରେ ଅଟକ ରଖାଯାଇଛି। ଏହାକୁ ଏବେ ସବଜେଲ୍ ଭାବରେ ଘୋଷଣା କରାଯାଇଛି। ସେହିପରି ଫାରୁକଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶ୍ରୀନଗରସ୍ଥିତ ହରିନିବାସରେ ଅଟକ ରହିଥିଲାବେଳେ ତାଙ୍କୁ ସରକାରୀ ବାସଭବନକୁ ସ୍ଥାନାନ୍ତର କରାଯିବାକୁ ପଦକ୍ଷେପ ନିଆଯାଉଛି। ଅଟକ ଥିବା ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଠିକଣା ସମୟରେ ମୁକ୍ତ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଏଥିପୂର୍ବରୁ ଡିସେମ୍ବର ୩୦ରେ ଜମ୍ମୁ-କଶ୍ମୀର ପ୍ରଶାସନ ୫ ଜଣ ରାଜନେତାଙ୍କୁ ମୁକ୍ତ କରିଥିଲେ। ସେମାନେ ହେଲେ ଇସଫାକ ଜବାର ଓ ଗୁଲାମନବୀ ଭଟ୍ଟ (ନ୍ୟାସନାଲ କନଫରେନ୍ସ), ବସିର ମୀର (କଂଗ୍ରେସ) ଏବଂ ଜହୁର ମୀର ଓ ୟାସିର ରିଷି ।