କାର୍ତ୍ତିକ ମାସରେ ଦୀପଦାନ କଲେ ହୋଇଥାଏ ଧନପ୍ରାପ୍ତ

କାର୍ତ୍ତିକ ମାସରେ ଦୀପଦାନ ବେଶ୍ ମହତ୍ତ୍ୱପୂର୍ଣ୍ଣ। ନଦୀରେ ସ୍ନାନ କରି ମନ୍ଦିରରେ ଦୀପଦାନ କରିବା ସହିତ ଆକାଶକୁ ମଧ୍ୟ ବିଭିନ୍ନ ବାଣ ଛଡ଼ାଯାଇଥାଏ। ପିତୃପୁରୁଷଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ପଥକୁ ଆଲୋକିତ କରିବା ସକାଶେ ସୁଉଚ୍ଚ ସ୍ଥାନରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଏ। ବିଶ୍ୱାସ ଅଛି ଯେ ଏହି ମାସରେ ମା’ ଲକ୍ଷ୍ମୀଙ୍କୁ ଦୀପଦାନ କଲେ ତାଙ୍କରି ଆଶୀର୍ବାଦ ପ୍ରାପ୍ତ ହୁଏ। ଘରେ ଅଭାବ ଅସୁବିଧା ରହେନାହିଁ। କାର୍ତ୍ତିକ ମାସ; ବିଶେଷକରି ପଞ୍ଚକରେ ମୃତ୍ୟୁ ବରଣ କଲେ ସ୍ୱର୍ଗପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି।

କାର୍ତ୍ତିକ ବ୍ରତ ସମୟରେ ବ୍ରାହ୍ମ ମୁହୂର୍ତ୍ତରୁ ସ୍ନାନାଦି ସାରି ସୂର୍ଯ୍ୟଦେବଙ୍କୁ ଉପାସନା ଓ ତୁଳସୀ ଚଉରା ମୂଳେ ପାଣି ଚଢ଼ାଇଲେ ଅଶେଷ ପୁଣ୍ୟ ହୋଇଥାଏ। ତୁଳସୀ ପତ୍ରକୁ ସେବନ କଲେ ଶରୀର ନିରୋଗ ରହେ। ଏହି ମାସରେ ଗରିବ ଓ ବ୍ରାହ୍ମଣଙ୍କୁ ଦାନ କଲେ ବିଶେଷ ପୁଣ୍ୟ ହୁଏ ବୋଲି ବିଶ୍ୱାସ କରାଯାଏ। କାର୍ତ୍ତିକ ମାସରେ ବ୍ୟବସାୟ ଶୁଭାରମ୍ଭ କଲେ ଭଲ ଚାଲେ ବୋଲି ବିଶ୍ୱାସ କରାଯାଏ। ଅତୀତରେ ଓଡ଼ିଆ ସାଧବ ପୁଅ କାର୍ତ୍ତିକ ପୂର୍ଣ୍ଣମୀରେ ବୋଇତ ବନ୍ଦାଣ କରି ବିଦେଶକୁ ବ୍ୟବସାୟ ପାଇଁ ଯାଉଥିଲେ ଓ ଫେରିଲା ବେଳକୁ ସାଥିରେ ଅପର୍ଯ୍ୟାପ୍ତ ଧନଦୌଲତ ଘେନି ଫେରୁଥିଲେ। ତେଣୁ ଏହି ପୂର୍ଣ୍ଣମୀ ଦିନ ସାଧବ ବୋହୂମାନେ ସ୍ୱାମୀମାନଙ୍କର ଶୁଭ ମନାସି ବୋଇତ ବନ୍ଦାଣ କରି ସେମାନଙ୍କୁ ମେଲାଣି ଦେଉଥିଲେ। ଯାହାକୁ ସ୍ମରଣୀୟ କରିବାକୁ ଆଜି କଟକରେ ଗଡ଼ଗଡ଼ିଆ ଘାଟ ଓ ପାରାଦ୍ୱୀପରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି।

କାର୍ତ୍ତିକ ସୋମବାରରେ ହବିଷ ପାଳନ ପୂର୍ବକ ଆଶୁତୋଷଙ୍କୁ ପୂଜା କରାଯାଏ। ବିଶ୍ୱାସ ଅଛି ଯେ ଆଶୁତୋଷଙ୍କୁ ପୂଜା କଲେ, ରୋଗ, ଶୋକରୁ ମୁକ୍ତି ମିଳେ। କାର୍ତ୍ତିକ ପୂର୍ଣ୍ଣମୀ ଦିନ ଗଙ୍ଗାରେ ସ୍ନାନ ପରେ ଦୀପଦାନ କରି ହବିଷ ଭୋଜନ କଲେ ସାଂସାରିକ ପାପତାପରୁ ମୁକ୍ତି ମିଳେ। ଅନ୍ନ, ଧନ ଓ ବସ୍ତ୍ରଦାନ କଲେ ବେଶ୍ ପୁଣ୍ୟ ଅର୍ଜନ ହୁଏ। ଶେଷରେ ବ୍ରତଧାରୀମାନେ ପୂର୍ଣ୍ଣମୀ ଦିନ ପୋଖରୀ ଓ ନଦୀରେ କଦଳୀ ପଟୁଆରେ ପାନଗୁଆ ଥୋଇ ଦୀପ ଜଳାଇ ବ୍ରତ ଭାଙ୍ଗିବା ପାଇଁ ଗାଇଥାନ୍ତି “ଆ କା ମା ବୈ, ପାନଗୁଆ ଥୋଇ, ପାନଗୁଆ ତୋର, ମାସକ ଧର୍ମ ମୋର।’