ଷ୍ଟାଫ ନର୍ସଙ୍କୁ କରୋନା: ନୀରବ ନିସ୍ତବ୍ଧ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲାରେ ୬୯ ଜଣ କରୋନା ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ହୋଇଥିବା ବେଳେ ଗତକାଲି ରାତିରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୭ ଜଣଙ୍କ ମଧ୍ୟରେ ୬ ଜଣ ପ୍ରବାସୀ ରହିଥିବା ବେଳେ ଅନ୍ୟଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ ନର୍ସ ବୋଲି ଜଣାଯାଇଛି। କରୋନା ଯୋଦ୍ଧା କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଗତକାଲି ମହିଳା ନର୍ସ ଜଣଙ୍କୁ କୋଭିଡ୍ ହସ୍‌ପିଟାଲ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅନ୍ୟ କର୍ମଚାରୀଙ୍କ ଏବଂ କିଛି ରୋଗୀଙ୍କୁ ଖଣ୍ଡପଡ଼ା କୋଭିଡ୍ କେୟାର ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ୱାର୍ଡ଼ ଏବଂ ମାତୃ ଶିଶୁ ଗୃହର ଗୋଟିଏ ୱାର୍ଡ଼କୁ ସିଲ୍ କରି ଦିଆଯାଇଛି। ଅନ୍ୟପଟେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅନ୍ୟ ଦିନ ଅପେକ୍ଷା ଡାକ୍ତର ଓ କର୍ମଚାରୀମାନେ କମ ସଂଖ୍ୟକ ଆସିଥିବା ବେଳେ ମୁଖ୍ୟ ଚିକିତ୍ସାଳୟରେ ଘଟଣାକୁ ନେଇ ନୀରବ ନିସ୍ତବ୍ଧ ପରିସ୍ଥିତି ଖେଳି ଯାଇଛି।