ସମୂଦ୍ର କୂଳରେ ଲାଗିଲା କର୍ଣ୍ଣାଟକର ଫିସ୍ ବୋଟ୍

ବ୍ରହ୍ମପୁର,ଏନ୍ଏନ୍ଏସ୍ : କର୍ଣ୍ଣାଟକର ମାଙ୍ଗଲୋରରୁ ମତ୍ସଜୀବୀମାନେ ଗଞ୍ଜାମ ଜିଲ୍ଲାକୁ ସମୁଦ୍ର ପଥ ଦେଇ ଆସୁଥିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଜି ୩୮ଜଣ ମତ୍ସଜୀବୀଙ୍କୁ ନେଇ ସମୁଦ୍ରପଥ ଦେଇ ଆସିଥିବା ଏକ ବୋଟ୍ ଅପରାହ୍ନ ୫ଟାରେ ଓଡ଼ିଶାରେ ପହଂଚିଛି। ୫ ଦିନ ସମୁଦ୍ରପଥରେ ଯାତ୍ରା ପରେ ଆଜି ସେମାନେ ଗଞ୍ଜାମ ଜିଲ୍ଲାର ପାତି ସୁୂନାପୁର ସମୁଦ୍ର ଉପକୂଳରେ ପଂହଚିଛନ୍ତି। ଉକ୍ତ ଡଙ୍ଗାରେ ମୋଟ ୩୮ଜଣ ମତ୍ସଜୀବୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮ଜଣ ପାତିସୁନାପୁର ଗ୍ରାମର ଏବଂ ଅନ୍ୟ ୧୦ଜଣ ଆନ୍ଧ୍ରପ୍ରଦେଶ ଅଂଚଳର ବୋଲି ଜଣାପଡ଼ିଛି।

ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଉକ୍ତ ବୋଟକୁ ଭଡା ସୂତ୍ରରେ ଆଣି ଏହି ମତ୍ସଜୀବୀମାନେ କର୍ଣ୍ଣାଟକର ମାଙ୍ଗଲୋରରୁ ୫ ଦିନ ପୂର୍ବେ ବାହାରିଥିଲେ। ଏହି ୫ ଦିନ ପାଇଁ ବୋଟରେ ଖାଇବା ପିଇବା ସମସ୍ତ ବ୍ୟବସ୍ଥା କରିଥିଲେ ଏମାନେ। ବୋଟଟି ପଂହଚିବା ପୂର୍ବରୁ ସେମାନଙ୍କର ଆତ୍ମୀୟମାନେ ଆସି ସମୁଦ୍ର କୂଳରେ ପଂହଚିଯାଇଥିଲେ। ଶହ ଶହ ସଂଖ୍ୟାରେ ଗ୍ରାମବାସୀ ସମୁଦ୍ରକୂଳରେ ପହଂଚି ଏମାନଙ୍କୁ ସ୍ୱାଗତ କରିଥିଲେ। ବୋଟଟି କୂଳରେ ଲାଗିବା ପରେ ପୁଲିସ ଏବଂ ପ୍ରଶାସନ ପହଂଚିଥିଲେ। ପୂର୍ବରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ହାଇସ୍କୁଲରେ ଏମାନଙ୍କୁ ରଖିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା।

ସମୁଦ୍ର କୂଳରେ ପହଂଚିବା ପରେ ବୋଟରେ ବସିଥିବା କୌଣସି ଲୋକଙ୍କୁ ଓହ୍ଲାଇବାକୁ ଦିଆଯାଇ ନଥିଲା। ଡାକ୍ତରୀ ଟିମ୍ ପଂହଚି ଜଣ ଜଣ କରି ପରୀକ୍ଷା କରିବା ଆରମ୍ଭ କରିଥିଲେ। ସେହିପରି ପ୍ରଶାସନ ପକ୍ଷରୁ ଚିକିଟି ବିଡିଓ ଫାଲଗୁନି ମାଝୀ, ତହସିଲଦାର ହରପ୍ରସାଦ ଭୋଇ ଓ ସମ୍ପୃକ୍ତ ଗ୍ରାମର ସରପଂଚଙ୍କ ସମେତ ସମିତିସଭ୍ୟ ଉପସ୍ଥିତ ରହିଥିଲେ। ପରେ ସେମାନଙ୍କର ନାମ ଏବଂ ଠିକଣା ପଚରା ଉଚରା କରିବା ସହ ସେସମାନଙ୍କୁ କ୍ୱାରେନଟାଇନରେ ରଖିବା ପାଇଁ ସ୍ଥାନୀୟ ସ୍କୁଲକୁୂ ନିଆଯାଇଥିଲା। ଉକ୍ତ ସ୍କୁଲରେ ପୂର୍ବରୁ ୭ଜଣ କ୍ୱାରେନଟାଇନରେ ରହିଥିବା ବେଳେ ଆଜି ଏମାନଙ୍କୁ ନେଇ ମଧ୍ୟ ରଖାଯିବ ବୋଲି କୁହାଯାଇଛି। ଆସନ୍ତାକାଲି ସେମାନଙ୍କ ସ୍ୱାବ ପରୀକ୍ଷା ପରୀକ୍ଷା ପାଇଁ ନିଆଯିବ। ସେମାନଙ୍କର ପରୀକ୍ଷା ନେଗେଟିଭ୍ ଆସିଲେ ମଧ୍ୟ ସେମାନେ କିଛି ଦିନ କ୍ୱାରେନଟାଇନରେ ରହିବେ ବୋଲି କୁହାଯାଇଛି।