ୟେଦୁରପ୍ପାଙ୍କ ଇସ୍ତଫା ନେଇ ୨୬ରେ ନିଷ୍ପତ୍ତି

  • ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା (୭୮) ଖୁବ୍ଶୀଘ୍ର ଇସ୍ତଫା ଦେଇପାରନ୍ତି। ଆସନ୍ତା ସପ୍ତାହାନ୍ତରେ ସେ ଆଉ ମୁଖ୍ୟମନ୍ତ୍ରୀ ରହିନପାରନ୍ତି ବୋଲି ତାଙ୍କର ଏକ ମନ୍ତବ୍ୟରୁ ଜଣାପଡ଼ିଛି। ୟେଦୁରପ୍ପା କହିଛନ୍ତି, ଜୁଲାଇ ୨୬ରେ ସେ ସରକାରରେ ରହିବାର ୨ବର୍ଷ ପୂର୍ତ୍ତି ହେବ। ଉକ୍ତ ଦିନ ଏକ କାର୍ଯ୍ୟକ୍ରମ ଅଛି। ଏହାପରେ ବିଜେପି ସଭାପତି ଜେପି ନଡ୍ଡା ଯାହା ନିଷ୍ପତ୍ତି ନେବେ ତାହା ସେ ଗ୍ରହଣ କରିବେ। ୨ ମାସ ପୂର୍ବେ ସେ ତାଙ୍କ ଇସ୍ତଫା ସଂକ୍ରାନ୍ତରେ ସୂଚନା ଦେଇଥିବା କହିଛନ୍ତି। କିନ୍ତୁ ସେ କ୍ଷମତାରେ ନ୍ତୁ ବା ନରୁହନ୍ତୁ ବିଜେପିକୁ ପୁଣିଥରେ କ୍ଷମତାକୁ ଫେରାଇ ଆଣିବେ ବୋଲି କହିଛନ୍ତି। ଦଳୀୟ କର୍ମୀ ଏବଂ ଲିଙ୍ଗାୟତ ନେତାମାନଙ୍କୁ ଏଦିଗରେ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି।
    ୟେଦୁରପ୍ପା କହିଛନ୍ତି, ଏଯାବତ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇନାହିଁ। କିନ୍ତୁ ନିର୍ଦ୍ଦେଶ ମିଳିବା ପରେ ସେ ଇସ୍ତଫା ଦେବେ ଏବଂ ଦଳ ପାଇଁ କାମ କରିବେ। ୟେଦୁରପ୍ପା ପୁଣିଥରେ କହିଛନ୍ତି, ଯେତେଦିନ ଯାଏ ଦଳୀୟ ନେତୃବୃନ୍ଦ ଚାହିଁବେ ସେତେଦିନ ଯାଏଁ ମୁଖ୍ୟମନ୍ତ୍ରୀଭାବେ କାର୍ଯ୍ୟ କରିବି। ଦକ୍ଷିଣରେ ବିଜେପିର ପ୍ରଥମ ଏବଂ ଏକମାତ୍ର ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଗତ ସପ୍ତାହରେ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ନେତୃବୃନ୍ଦଙ୍କୁ ଭେଟିବା ପରେ ତାଙ୍କ ଇସ୍ତଫା ଚର୍ଚ୍ଚା ଜୋର ଧରିଥିଲା। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଇସ୍ତଫା ଦେବାକୁ ଚାହୁଛନ୍ତି ବୋଲି ଏକ ସୂଚନାରୁ ଜଣାପଡ଼ିଥିଲା।