ନୂଆଦିଲ୍ଲୀ,ଏଜେନ୍ସି: ପାଖେଇ ଆସୁଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ତାରିଖ ଘୋଷଣା ହେବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ନିର୍ବାଚନରେ ଲଢେଇ ପାଇଁ ପାର୍ଥୀ ଘୋଷଣା କରୁଛନ୍ତି ଦଳ । କଂଗ୍ରେସ ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆଉ ଦିନେ କି ଦୁଇ ଦିନ ମଧ୍ୟରେ ବିଜେପି ଜାରି କରିବ ପ୍ରଥମ ପ୍ରାର୍ଥୀ ତାଲିକା । ଏହା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇ ଶିଗଗାଓଁ ବିଧାନସଭା ଆସନରୁ ଲଢିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ବସବରାଜ ବମ୍ମାଇ କହିଛନ୍ତି ଯେ, ’ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରବିବାର ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା । ସୋମବାର ନଚେତ ଏହାର ଗୋଟିଏ ଦିନ ପରେ ଦଳ ପ୍ରାର୍ଥୀ ତାଲିକା ଜାରି କରିବ । ମୁଁ ଶିଗଗାଓଁ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛି ।’
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦଳର ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବା ପାଇଁ ରବିବାର ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ସିଇସିର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏଥିସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇଙ୍କ ସମେତ ପ୍ରାଦେଶିକ କମିଟିର ବରିଷ୍ଠ ନେତାମାନେ ମଧ୍ୟ ଏହି ବୈଠକେର ଯୋଗଦେଇଥିଲେ । ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିବା ବୈଠକର ମୁଖ୍ୟ ବିଷୟବସ୍ତୁ ଥିବା ନେଇ ଗଣ ମାଧ୍ୟମକୁ କହିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ।