କରନଙ୍କ ସାମ୍ନାରେ ସର୍ତ୍ତ ରଖିଲେ କରୀନା

ଭୁବନେଶ୍ୱର, ଏନ୍ଏନ୍ଏସ୍ : ପ୍ରଯୋଜକ କରନ୍ ଜୋହରଙ୍କ ସାମ୍ନାରେ ସର୍ତ୍ତ ରଖିଛନ୍ତି କରୀନା କପୁର। ‘ଜିୟୋ ମାମି ମେଳା’ ଅବସରରେ କରୀନା ଫିଲ୍ମ ‘ଗୁଡ୍ ନ୍ୟୁଜ୍’ର ପେମେଣ୍ଟକୁ ନେଇ ସର୍ତ୍ତ ବାଢ଼ିଛନ୍ତି। କରୀନା କହିଥିଲେ ଯେ, ଫିଲ୍ମ ପାଇଁ ଅକ୍ଷୟ କୁମାର ଯେତେ ଟଙ୍କା ନେଉଛନ୍ତି, କରନ୍ ତାଙ୍କୁ ବି ସେତିକି ପାରିଶ୍ରମିକ ଦେବେ କି? ଉତ୍ତରରେ ହସିଥିଲେ କରନ୍। ସେ କହିଥିଲେ, ତା’ହେଲେ ଆପଣ କ’ଣ ମନମୁତାବକ ପାରିଶ୍ରମିକ ନ ମିଳିଲେ ଫିଲ୍ମ ଛାଡ଼ିଦିଅନ୍ତି? ଏହାର ଉତ୍ତରରେ କରୀନା କହିଥିଲେ ଯେ, ଫିଲ୍ମ ଛାଡ଼ିବାର ଅନେକଗୁଡ଼ିଏ କାରଣ ଅଛି। ମାତ୍ର ପାରିଶ୍ରମିକ ପାଇଁ ସେ କେବେ ବି କୌଣସି ଫିଲ୍ମ ଛାଡ଼ିନାହାନ୍ତି। ମାତ୍ର ତାଙ୍କର ଇଚ୍ଛା, ସେ ଅଭିନୟ କରୁଥିବା ଫିଲ୍ମରେ ତାଙ୍କର ହିରୋ ଯେତିକି ପାରିଶ୍ରମିକ ନିଅନ୍ତି, ତାଙ୍କୁ ମଧ୍ୟ ସେତିକି ପରିମାଣର ଟଙ୍କା ମିଳୁ। ଏହାପରେ କରନ୍ କହିଥିଲେ ଯେ, ଅନେକ ଲୋକଙ୍କର ଧାରଣା ରହିଛି ଯେ ‘ଗୁଡ୍ ନ୍ୟୁଜ୍’ ଫିଲ୍ମ ପାଇଁ ଅକ୍ଷୟ ଯେତିକି ଟଙ୍କା ନେଉଛନ୍ତି, ଆପଣଙ୍କୁ ବି ସେତିକି ଟଙ୍କା ଦିଆଯାଉଛି। ଏହାପରେ କରୀନା ହସି ହସି କହିଥିଲେ, ଦୟାକରି ମତେ ବି ସେତିକି ଟଙ୍କା ହିଁ ଦିଅନ୍ତୁ, ଯେତିକି ଆପଣ ଅକ୍ଷୟଙ୍କୁ ଦେଉଛନ୍ତି। ସୂଚନାଯୋଗ୍ୟ, ଅକ୍ଷୟ, କରୀନା ଅଭିନୀତ ‘ଗୁଡ୍ ନ୍ୟୁଜ୍’ର ପ୍ରଯୋଜକ ଅଛନ୍ତି କରନ୍ ଜୋହର। ଅକ୍ଷୟ, କରୀନାଙ୍କ ବ୍ୟତୀତ ଏ ଫିଲ୍ମରେ କିଆରା ଆଡଭାନୀ, ସିଙ୍ଗର୍ ଦିଲ୍ଜିତ ଦୋସାଞ୍ଝ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଛନ୍ତି। ଏ ଫିଲ୍ମକୁ ଛାଡ଼ିଦେଲେ କରୀନା ‘ଇଂଲିଶ୍ ମିଡିୟମ୍’ ଓ ଅକ୍ଷୟ ‘ସୂର୍ଯ୍ୟବଂଶୀ’ ସିନେମାର ସୁଟିଂରେ ବ୍ୟସ୍ତ ଅଛନ୍ତି।