ବିଧାୟିକାଙ୍କୁ ଚଲାଇଲେ ଅଞ୍ଚଳବାସୀ

କରଞ୍ଜିଆ,ଏନ୍ଏନ୍ଏସ୍: ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜର ତାଟ ନିକଟରେ ଗ୍ରାମବାସୀଙ୍କଦ୍ୱାରା ରାସ୍ତା ଅବରୋଧ କରାଯାଇଛି। ଏଥି ସହିତ ଅଞ୍ଚଳବାସୀ କରଞ୍ଜିଆ ବିଧାୟିକାଙ୍କୁ ଘେରାଉ କରି ରାସ୍ତାରେ ଚଲାଇ ଚଲାଇ କ୍ଷୟକ୍ଷତି ଦେଖାଇଥିବା ଜଣାପଡ଼ିଛି। ଗତ ଏକ ମାସ ହେଲାଣି ତାଟ, କୁଞ୍ଜିଆ, ବିଉଁରିଆ, ନାକୁଡ଼ାମତା ଆଦି ଗ୍ରାମମାନଙ୍କରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ପନିପରିବା, କଦଳୀ ବଗିଚା ନଷ୍ଟ କରିବା ସହିତ ୫ରୁ ଅଧିକଘର ଭାଙ୍ଗିସାରିଲେଣି ହାତୀ ପଲ। ମାତ୍ର ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁ ନଥିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା। ଯାହାଫଳରେ ଅଞ୍ଚଳବାସୀ ଅତିଷ୍ଠ ହୋଇ ଆଜି ଦିନ ୧୦ଟା ସମୟରୁ ଦୁଧିଆଣି ରେଞ୍ଜ ଅଫିସ୍ ଘେରାଉ କରିବା ସହିତ ୨୨୦ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ତେବେ ଏହି ସମୟରେ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ସେହି ରାସ୍ତାଦେଇ ଯାଉଥିଲେ। ତାଙ୍କୁ ଦେଖି ରାସ୍ତା ଅବରୋଧକାରୀମାନେ ବିଧାୟିକାଙ୍କୁ ଘେରି ଯାଇଥିଲେ। ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କ ସହିତ ରେଞ୍ଜରଙ୍କୁ ଦୀର୍ଘ ୬କିଲୋମିଟରରୁ ଊର୍ଦ୍ଧ୍ୱ ଗାଁ ଚଲାଇ ଚଲାଇ ନେଇଥିଲେ। କାଦମଡ଼କ ଗାଁ’ ପର୍ଯ୍ୟନ୍ତ ବିଧାୟକାଙ୍କୁ ଚଲାଇ ନେଇ ଅଞ୍ଚଳବାସୀ ହାତୀ ଉପଦ୍ରବରେ କ୍ଷୟକ୍ଷତି ସବୁ ଦେଖାଇଥିଲେ।