କେନ୍ଦ୍ରାପଡା,ଏନ୍ଏନ୍ଏସ୍: କେନ୍ଦ୍ରାପଡା ଜିଲ୍ଲା ତନ୍ତୀଆପାଳ ସାମୁଦ୍ରିକ ଥାନା ଭୋପାଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଆଜି ଜଣେ ମହିଳା ତାଙ୍କର ଦୁଇ ଶିଶୁ ପୁତ୍ରଙ୍କ ସହ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଘର ଭିତରୁ କବାଟ ବନ୍ଦ କରି ମହିଳା ଜଣଙ୍କ ଏହି କାଣ୍ଡ ଘଟାଇ ଥିଲେ। ନିଆଁରେ ଜଳୁଥିବା ବଡ଼ ପୁଅର ଚିତ୍କାର ଶୁଣି ଘର ଲୋକ ଓ ପଡିଶା ମିଶି କବାଟ ଭାଙ୍ଗି ଗୁରୁତର ୩ ଜଣଙ୍କୁ ଉଦ୍ଧାର କରିଛନ୍ତି।
ସେମାନଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମା’ ଓ ସାନ ପୁଅର ଅବସ୍ଥା ଜଟିଳ ହେବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ନିଆଯାଇଛି। ସେହିପରି ବଡ଼ ପୁଅକୁ ଏବେ ରାଜନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସେମାନେ ହେଲେ ଭୋପାଳ ଗାଁର ସଚିତ୍ର ସ୍ୱାଇଁଙ୍କ ପତ୍ନୀ ଲୋଭାବତୀ ସ୍ୱାଇଁ, ତାଙ୍କର ୮ ବର୍ଷର ପୁଅ ଅଶ୍ୱିନୀ ଏବଂ ୩ ବର୍ଷର ପୁଅ ଆୟୁଷ।