କରୋନାକୁ ହରାଇଲେ କନିକା

ନୂଆଦିଲ୍ଲୀ: କରୋନା ବିରୋଧ ଲଢ଼େଇରେ ବିଜୟୀ ହୋଇଛନ୍ତି ବଲିଉଡ ସିଙ୍ଗର କନିକା କପୁର। ତାଙ୍କର ଷଷ୍ଠ କରୋନା ଯାଞ୍ଚ ରିପୋର୍ଟ ନେଗେଟିଭ୍ ଆସିବା ପରେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି। କନିକା କରୋନା ପଜିଜିଟ ଚିହ୍ନଟ ହେବା ପରେ ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପରେ ତାଙ୍କର ଲଗାତାର ଭାବେ ଟେଷ୍ଟ କରାଯାଇଥିଲା। କିନ୍ତୁ ପଞ୍ଚମ ଓ ଷଷ୍ଠ ଟେଷ୍ଟ ନେଗେଟିଭ ଆସିବା ଯୋଗୁ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଯାଇଛି। ହସ୍ପିଟାଲରୁ ଛୁଟି ମିଳିଲେ ବି କନିକାଙ୍କର ଚିନ୍ତା କମି ନାହିଁ। କାରଣ ବିଦେଶରୁ ଫେରିବା ପରେ ନିଜକୁ ଆଇସୋଲେଟ କରିବା ପାଇଁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯିବା ସତ୍ୱେ ସହରର ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିବାରୁ ତାଙ୍କ ବିରୋଧରେ ୩ଟି ମାମଲା ରୁଜୁ କରାଯାଇଛି।