ନୂଆଦିଲ୍ଲୀ: ଭଗତ ସିଂହଙ୍କ ଜୟନ୍ତୀ ଅବସରରେ ସିପିଆଇ ନେତା କହ୍ନେୟା କୁମାର ଓ ଗୁଜରାଟର ନିର୍ଦ୍ଦଳୀୟ ବିଧାୟକ ଜିଗନେଶ ମେୱାନୀ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହାପୂର୍ବରୁ ୨ ନେତା ରାହୁଲ ଗାନ୍ଧୀଙ୍କ ସହ ଦିଲ୍ଲୀ ଆଇଟିଓସ୍ଥିତ ସହିଦ ପାର୍କ ପହଂଚିଥିଲେ। ଏଠାରେ ୩ ନେତା ଭଗତ ସିଂଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ସମୟରେ ଗୁଜରାଟ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ ମଧ୍ୟ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, କଂଗ୍ରେସରେ କହ୍ନେୟା ଓ ଜିଗ୍ନେଶଙ୍କର ଭୂମିକା କ’ଣ ରହିବ ଏହାକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ। କିନ୍ତୁ ଉଭୟ ନେତା ସମଗ୍ର ଦେଶର ଯୁବନେତାଙ୍କୁ କଂଗ୍ରେସରେ ଯୋଡ଼ିବା ସହ ମୋଦୀ ସରକାରଙ୍କ ବିରୋଧରେ ଅଭିଯାନ ଚଲାଇବେ ବୋଲି ଶୁଣିବାକୁ ମିଳିଛି। ବିହାରରେ କହ୍ନେୟାଙ୍କୁ ଓ ଗୁଜରାଟରେ ଜିଗ୍ନେଶଙ୍କୁ କଂଗ୍ରେସ ବଡ଼ ପଦ ଦେଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।