ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହେଲେ କଙ୍ଗନା

ମୁମ୍ବଇ,ଏଜେନ୍ସି: ମୁମ୍ବଇ ପୁଲିସ ଦ୍ୱାରା ଜାରି କରାଯାଇଥିବା ସମନରୁ ବର୍ତ୍ତିବା ନିମନ୍ତେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଓ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ଇତିମଧ୍ୟରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ସାମାଜିକ ଗଣମାଧ୍ୟମରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଥିବା ଭଳି ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ମୁମ୍ବଇ ପୁଲିସ ପକ୍ଷରୁ କଙ୍ଗନା ଓ ରଙ୍ଗୋଲିଙ୍କୁ ହାଜର ହେବାକୁ ନୋଟିସ କରାଯାଇଛି।

ଏହି ଏତଲାକୁ ରଦ୍ଦ କରିବାକୁ ଭଉଣୀ ଦ୍ୱୟ ହାଇକୋର୍ଟ ପିଟିସନରେ ପ୍ରାର୍ଥନା କରିଛନ୍ତି। ପୂର୍ବରୁ ସେମାନଙ୍କୁ ମୁମ୍ବଇ ପୁଲିସ ପକ୍ଷରୁ ଅକ୍ଟୋବର ୨୬/୨୭ ଓ ନଭେମ୍ବର ୯/୧୦ରେ ହାଜର ହେବାକୁ ଦୁଇଥର ନିର୍ଦେଶ ଦିଆଯାଇଥିଲେ ସୁଦ୍ଧା ସେମାନେ ଭିନ୍ନ କାରଣ ଦର୍ଶାଇ ଏହାକୁ ଏଡାଇ ଯାଇଥିବା ପ୍ରକାଶ। ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇ କଙ୍ଗନା ଓ ରଙ୍ଗୋଲି ବଲିଉଡ୍ର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରୁଥିବାବେଳେ ସାଂପ୍ରଦାୟିକ ବିଦ୍ୱେଶଭାବ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରି ମୁନାୱାର ଅଲ୍ଲୀ ନାମକ ବ୍ୟକ୍ତି ସେମାନଙ୍କ ବିରୋଧରେ ଏତଲା ଦାଏର କରିଛନ୍ତି।