ମହିଳା ଏସଆଇଙ୍କୁ ବିବାହର ପ୍ରତିଶ୍ରୁତି ଓ ନିର୍ଯ୍ୟାତନା ମାମଲା: ପୁଲିସ୍ ଅଧିକାରୀ ଜେଲ୍ ଗଲେ

ବାଲିଗୁଡ଼ା,ଦାରିଙ୍ଗବାଡ଼ି, ଏନ୍ଏନ୍ଏସ୍: ଜନୈକ ମହିଳା ପୁଲିସ ଅଧିକାରୀଙ୍କୁ ନିର୍ଯ୍ୟାତନା ଓ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରିତ କରିବା ଅଭିଯୋଗରେ ଜଣେ ପୁଲିସ ଅଧିକାରୀ ଜେଲ ଯିବା ଘଟଣା ଆଜି ସମଗ୍ର କନ୍ଧମାଳ ଜିଲ୍ଲାରେ ଆଲୋଚ୍ୟର ବିଷୟ ହୋଇଛି। ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ ଶୁଭଦର୍ଶୀ ପଟ୍ଟନାୟକ ସଂପୃକ୍ତ ଅଧିକାରୀଙ୍କ ବେଲ ଆବେଦନ ନାକଚ କରି ତାଙ୍କୁ ଜେଲ ହାଜତକୁ ପଠାଇ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ଖଲିକୋଟ ଥାନାରେ କାର୍ଯ୍ୟରତ ଏସଆଇ ସିଲୁ ଧଳ। ଘଟଣାରୁ ପ୍ରକାଶ ଯେ, ସଂପୃକ୍ତ ମହିଳା ଏସଆଇ ଓ ଅଭିଯୁକ୍ତ ଏସଆଇ ସିଲୁ ଧଳଙ୍କ ମଧ୍ୟରେ ପୁଲିସ ତାଲିମ ନେବା ସମୟରେ ସମ୍ପର୍କ ସ୍ଥାପନ ହୋଇଥିଲା। ପରେ ଅଭିଯୁକ୍ତ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରେ କୌଣସି କାରଣ ଦର୍ଶାଇ ବିବାହ କରିବା ପାଇଁ ମନା କରିଦେଇଥିଲେ।

ଏହାପରେ ମହିଳା ଏସଆଇ ଗତ ଅଗଷ୍ଟ ୧୬ ତାରିଖରେ ଦାରିଙ୍ଗବାଡି ଥାନାରେ ସିଲୁ ଧଳଙ୍କ ଦ୍ୱାରା ନିର୍ଯ୍ୟାତିତ ଓ ପ୍ରତାରିତ ହୋଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ତେବେ ସେହି ଦିନ ଠାରୁ ଏସଆଇ ସିଲୁ ଧଳ ଫେରାର ଥବା କୁହାଯାଇ ଥିଲା। ଅଭିଯୁକ୍ତ ଧଳ ଓଡିଶା ଉଚ୍ଚନ୍ୟାୟାଳୟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ ଉଚ୍ଚ ନ୍ୟାୟାଳୟ ଏହାର ବିଚାର ପାଇଁ ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତ ଏସଆଇ ସିଲୁ ଧଳ ଆଜି ବାଲିଗୁଡା କୋର୍ଟରେ ହାଜର ହୋଇଥିଲେ। ଜାମିନ ଆବେଦନର ଶୁଣାଣି କରି ଅତିରିକ୍ତ ଦୌରାଜଜ ଧଳଙ୍କ ଜାମିନ ଆବେଦନକୁ ନାକଚ କରିଦେବା ସହ ତାଙ୍କୁ ଜେଲ ହାଜତକୁ ପଠାଇ ଦେଇଛନ୍ତି। ସରକାରୀ ଓକିଲ ଶୁଧାଂଶୁ ମୋହନ ପତି ମାମଲାର ପରିଚାଳନା କରିଥିଲେ।