ସ୍ତ୍ରୀ କୁ ଆକ୍ରମଣ କରି ସ୍ୱାମୀ ଗିରଫ

ଜି.ଉଦୟଗିରି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ବାଡ଼େନାଜୁ ଗ୍ରାମରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ସ୍ତ୍ରୀ ପ୍ରଭାସିନି ସାହୁ (୨୧)କୁ ତାଙ୍କ ସ୍ୱାମୀ କେଶବ ଚନ୍ଦ୍ର ସାହୁ ମୁଣ୍ଡକୁ ପଥରରେ ଛେଚି ଗିରଫ ହେବା ଘଟଣା ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।
ସୂଚନା ଅନୁସାରେ, ଗତ ୨୦୧୮ ମସିହାରେ ଉଭୟଙ୍କ ବିବାହ ପରେ କିଛିଦିନ ପରିବାର ଭଲରେ ଚାଲିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କେଶବ ପ୍ରତ୍ୟେକ ଦିନ କୁଆଡ଼େ ମଦ୍ୟପାନ କରି ଘରେ ପାଟିତୁଣ୍ଡ କରିବା ସହିତ ମାରପିଟ କରୁଥିଲେ। ଏହାକୁ ନେଇ ଗତ କିଛିମାସ ହେଲା ପ୍ରଭାସିନି ନିଜ ବାପ ଘରକୁ ଫେରିଯାଇଥିଲେ। ପରେ କେଶବ ନିଜ ଶ୍ୱଶୁର ଘରେ ପହଞ୍ଚି ବୁଝାସୁଝା କରିବା ସହିତ ଆଉ ମଦ୍ୟପାନ କରିବି ନାହିଁ ବୋଲି କୁଆଡ଼େ ପ୍ରତିଜ୍ଞା କରିଥିଲେ। ତେବେ ଶାଶୂ ଘରକୁ ଫେରିବା ବାଟରେ ସିର୍କି ରାସ୍ତାରେ କେଶବ ପ୍ରଭାସିନିଙ୍କୁ ବଣକୁ ଯାଇ ଆମ୍ବ ତୋଳିବା ପାଇଁ କହିଥିଲେ। ତେବେ ପ୍ରଭାସିନି ନଯିବାରୁ କେଶବ ଉତ୍ୟକ୍ତ ହୋଇ ଏକ ପଥରରେ ନିଜ ସ୍ତ୍ରୀ ପ୍ରଭାସିନିଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ଏନେଇ ପ୍ରଭାସିନି ଜି.ଉଦୟଗିରି ଥାନାରେ ଏକ ଏତଲା ଦେଇଥିଲେ। ପୁଲିସ୍ ଏକ ମାମଲା ରୁଜୁରକି କେଶବକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଥିବା ବେଳେ ଏସ୍.ଆଇ ବିଭୂତିଭୁଷଣ ମୁଦୁଲି ତଦନ୍ତ ଚଳାଇଛନ୍ତି।