ଥାନା ଅଧିକାରୀଙ୍କ ବଦଳି ଦାବିରେ ରାସ୍ତାରୋକ, ବିନା କାରଣରେ ଟଙ୍କା ଆଦାୟ କରୁଥିବା ଅଭିଯୋଗ

ଫୁଲବାଣୀ,କୋଟଗଡ଼,ଏନ୍ଏନ୍ଏସ୍: ପୁଲିସ୍ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ। ସବୁ ପରିସ୍ଥିତିରେ ପୁଲିସ୍ ସାଧାରଣ ଜନତାଙ୍କ ପାଇଁ ବୋଲି ଯେଉଁ ଆହ୍ୱାନ ଦିଆଯାଉଛି ତାହା କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ ଫେଲ୍ ମାରିଛି। ଖୋଦ୍ କୋଟଗଡ଼ ଥାନା ଅଧିକାରୀ ଅଲେଖ ଗରଡିଆଙ୍କ ବିରୋଧରେ ଆଜି ରଣହୁଙ୍କାର ଦେଇଛନ୍ତି ଅଞ୍ଚଳବାସୀ। ତୁରନ୍ତ ବଦଳି ଦାବିରେ ଅଞ୍ଚଳବାସୀ ରାସ୍ତାରୋକ କରିଛନ୍ତି। ଅଞ୍ଚଳବାସୀଙ୍କୁ ସ୍ଥାନୀୟ ଥାନା ଅଧିକାରୀ ବିଭିନ୍ନ ସମୟରେ ଜୁଲମ କରୁଆସୁଛନ୍ତି। ବିନା କାରଣରେ ଅର୍ଥ ଦାବି କରୁଛନ୍ତି। ଯାହାଫଳରେ ଅଞ୍ଚଳବାସୀ ଥାନା ବାବୁଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଆନ୍ଦୋଳନର ପଦକ୍ଷେପ ନେଇ ଆଜି ରାସ୍ତାରୋକ କରିଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, ଲୋକେ ଜଙ୍ଗଲଜାତ ଦ୍ରବ୍ୟ ଜଙ୍ଗଲରୁ ସଂଗ୍ରହ କରି ବଜାରକୁ ବିକ୍ରି ପାଇଁ ଆଣିବା ସମୟରେ ସେମାନଙ୍କୁ ଡାକି ହଇରାଣ କରିବା ସହ ସେମାନଙ୍କ ଠାରୁ ଟଙ୍କା ଆଦାୟ କରିବା, ନିରୀହ ଜନତାଙ୍କୁ ବାଇକ ଅଧିକ ଦ୍ରୁତଗତିରେ ଚଲାଉଛୁ କହି ସେମାନଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ କରିବା ସହିତ ଅନେକ ସମୟରେ ଲୋକଙ୍କ ଠାରୁ ପୁଲିସ ଗିରି ଦେଖାଇ ଜୋରଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି। ଏହି ରାସ୍ତାରୋକ ପରେ ଆଇଆଇସିଙ୍କ ବିରୋଧରେ ସ୍ଥାନୀୟଲୋକଙ୍କ ସମେତ ବଣିକ ସଂଘ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ରାସ୍ତାରୋକ ଖବର ପାଇ ଘଟଣାସ୍ଥଳରେ ବିଡିଓ କୈଳାସ ଚନ୍ଦ୍ର ମୁର୍ମୁଙ୍କ ସହ ଆଲୋଚନା ପରେ ଏନେଇ ସେ ତୁରନ୍ତ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲେଚାନା କରିବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।