କନ୍ଧମାଳରେ କରୋନା ଲଢେଇ : ପ୍ରବାସୀ ଓଡ଼ିଆଙ୍କ ସେବାରେ ଗୋଟିଏ ପରିବାରର ୪ ସଦସ୍ୟ

ଫୁଲବାଣୀ/ରାଇକିଆ : କରୋନା ସଂକ୍ରମଣ ଯୋଗୁ ବିଶ୍ୱସାରା ଆତଙ୍କ ଖେଳିଯାଇଛି। ଏହି ସମୟ ମଧ୍ୟରେ ସରକାରଙ୍କ ତରଫରୁ ପ୍ରତି ବ୍ଲକ ଓ ପଂଚାୟତରେ ସଂଗରୋଧ କେନ୍ଦ୍ର ଖୋଲାଯାଇଛି। ରାଜ୍ୟସାରା ଏହି କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ମାନଙ୍କ ରହଣି ପାଇଁ ବ୍ୟବସ୍ଥା କରାଯିବା ସହିତ ସେମାନଙ୍କ ଚିକିତ୍ସା ଡାକ୍ତରୀ ଟିମ୍ କରୁଥିବା ବେଳେ ରୋଷେଇ ସହିତ ଆନ୍ୟାନ୍ୟ ଦାୟିତ୍ୱ ତୁଲାଇବା ପାଇଁ ମଧ୍ୟ କିଛି ଲୋକଙ୍କୁ ସେଠାରେ ରହି କାର୍ଯ୍ୟ କରିବା ପାଇଁ କୁହାଯାଇଛି। ସେମାନଙ୍କୁ ସ୍ୱେଚ୍ଛାସେବୀ ଭାବେ ମନୋନିତ କରାଯାଇଛି। ଏହିପରି ଭାବରେ ସମଗ୍ର କନ୍ଧମାଳ ଜିଲ୍ଲାରେ ପ୍ରତ୍ୟେକ ୧୭୧ ପଂଚାୟତ ସମେତ ପୌର ପରିଷଦ ମାନଙ୍କରେ ପ୍ରାୟ ୨୪୩ ଟି ଟି,ଏମ୍,ସି ତିଆରି ହୋଇଛି। କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ବେରେଡ଼ାକିଆ ପଂଚାୟତରେ ଥିବା ସେବାଶ୍ରମରେ ମଧ୍ୟ ଏକ ସଂଗରୋଧକେନ୍ଦ୍ର ଖୋଲାଯାଇଛି ।

ଏଥିôରେ ଗୋଟିଏ ପରିବାରର ବାପା ସମତେ ୩ ପୁଅ ରହି ପ୍ରବାସୀ ଓଡ଼ିଆମାନଙ୍କୁ ସେବା ଯୋଗାଇ ଦେଉଥିବା ଆଳରେ ବେଶ୍ ଆଲୋଚ୍ୟର ବିଷୟ ହୋଇଛି। ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ପଂଚାୟତରେ ଗୋଟିଏ ଲେଖାଏଁ ସଂଗରୋଧ କେନ୍ଦ୍ର ଖୋଲିବା ପାଇଁ ବ୍ଲକ ଓ ପଂଚାୟତକୁ କୁହାଯାଇଥିଲା ଏବଂ ସେଠାରେ ରହି କାର୍ଯ୍ୟକରିବା ପାଇଁ କିଛି ବ୍ୟକ୍ତିଙ୍କ ଆବଶ୍ୟକତା ରହିଥିଲା ବେଳେ କରୋନା ମହାମାରୀ ସଂକ୍ରମଣ ଭୟରେ ବହୁତ ଲୋକ ଅନିଚ୍ଛା ପ୍ରକାଶ କରିଥିଲେ। ଫଳରେ କେନ୍ଦ୍ରରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅନୁଭବ କରି କରୋନାକୁ ଭୟ ନକରି ସ୍ଥାନୀୟ କାଣ୍ଡାବାଡ଼ା ଗ୍ରାମର ରଂଜିତ କୁମାର ଦିଗାଳ ଆଗକୁ ଆସି ନିଜର ତିନିଜଣ ପୁଅଙ୍କୁ ଏହି ବିପତି ସମୟରେ ଲୋକଙ୍କ ସେବା କରିବା ପାଇଁ ପୁଅମାନଙ୍କୁ ପ୍ରେରଣା ଦେଇଥିଲେ। ୩ପୁଅ ଦୀପକ ରଂଜନ ଦିଗାଳ , ନିହାଲ ରଂଜନ ଦିଗାଳ ଓ ମଳୟ ରଂଜନ ଦିଗାଳ ମଧ୍ୟ କରୋନାକୁ ଭୟ ନକରି ବାପାଙ୍କ ସହିତ କାର୍ଯ୍ୟ କରିବା ପାଇଁ ସହମତି ପ୍ରକାଶ କରିଥିଲେ। ବାପା ରଂଜିତ ବେରେଡ଼ାକିଆ ପଂଚାୟତର ଚପରାସୀ ଭାବେ କାର୍ଯ୍ୟରତ ଥିବା ବେଳେ ସେ ଜଣେ ସମାଜସେବୀ ,ପରୋପକାରୀ ଉତମ ସ୍ୱଭାବ ବ୍ୟକ୍ତି ସହିତ କଳାକାର ଓ ମୂର୍ତି କାରିଗର ଭାବେ ଅଂଚଳରେ ଖୁବ୍ ପରିଚିତ।

ଏହି ସଂଗରୋଧ କେନ୍ଦ୍ରରେ କାର୍ଯ୍ୟ କରୁଥିବା ରୋଷେୟା, ସଫେଇ କର୍ମଚାରୀ ଓ ଅନ୍ୟ କର୍ମଚାରୀଙ୍କ ସେବା ଅତୁଳନୀୟ। ସରକାର ଜାରି କରିଥିବା ଗାଇଡଲାଇନ ଅନୁଯାୟୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତ ନିୟମ ମାନି ସଂଗରୋଧ କେନ୍ଦ୍ରରେ ସ୍ୱଚ୍ଛତା,ସାନିଟାଇଜ, ମାସ୍କ ବ୍ୟବହାର ସହିତ ସାମାଜିକ ଦୂରତା ବଜାୟ ରଖି କାର୍ଯ୍ୟ କରିଛନ୍ତି। ମାନବ ସେବା ହିଁ ମାଧବ ସେବା ବୋଲି ରଂଜିତ କୁମାର ଦିଗାଳ କୁହନ୍ତି। ସେମାନଙ୍କର ଏହିପରି ସେବା ଯୋଗାଇଦେଉଥିବା ହେତୁ ଅଂଚଳବାସୀମାନେ ତାଙ୍କୁ ସାଧୁବାଦ ଜଣାଇଛନ୍ତି। ଏହି ସଂଗରୋଧ କେନ୍ଦ୍ରକୁ ସ୍ଥାନୀୟ ବିଡିଓ ପ୍ରବୀଣ କୁମାର ବାଣୁଆଙ୍କ ସହିତ ସରପଂଚ ରଶ୍ମିତା କୁମାରୀ ପ୍ରଧାନ ତଦାରଖ କରୁଛନ୍ତି ।