ସାଇକେଲରେ ଆସୁଥିବା ୧୯ପ୍ରବାସୀଙ୍କୁ ସହାୟତା କଲା ବ୍ଳକ ପ୍ରଶାସନ; ବଖାଣିଲେ ଦୁଃଖଭରା କାଥା

ଫୁଲବାଣୀ/ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍ : ଲକଡାଉନ ଯୋଗୁଁ ରାଜ୍ୟ ବାହାରେ ଫସି ରହିଛନ୍ତି ରାଜ୍ୟର ହଜାର ହଜାର ଶ୍ରମିକ। ଦୀର୍ଘଦିନ ଧରି ଭୋକଉପାସରେ ରହି ନିଜ ଭିଟାମାଟିକୁ ଫେରିବା ପାଇଁ କୌଣସି ବ୍ୟବସ୍ଥା ନହେବାରୁ ଅନେକସ୍ଥାନରୁ ପ୍ରବାସୀମାନେ କିଏ ଚାଲିଚାଲି ଘରକୁଫେରୁଛନ୍ତି ତ ଆଉ କୋଉଠି ସାଇକେଲ ଓ ଆଉକୋଉଠି ଛାତ୍ର ମାନେ ଦିନମଜୁରି କରି ଗାଡ଼ିଭଡ଼ା କରି ଫେରୁଛନ୍ତି । ଏହିଭଳି ଅନେକ ସ୍ଥାନରୁ ପ୍ରବାସୀମାନେ ଫେରି କ୍ୱାରେଂଟାଇନ ସେଂଟରରେ ରହିଥିବା ବେଳେ କୋଉଠି ସେମାନେ ସଂପୂର୍ଣ୍ଣଭାବେ ସହଯୋଗର ହାତ ବଢାଯାଉଛି ତ ପୁଣି କେଉଁଠେ ଅସହଯୋଗ ମଧ୍ୟ କରାଯାଉଛି ।

କିନ୍ତୁ ଗୁରୁବାର ବିଳମ୍ବିତ ରାତ୍ରରେ କେତେକ ପ୍ରବାସୀ ସାଇକେଲ ଯୋଗେ ଦାରିଙ୍ଗବାଡି ଦେଇ ଫେରୁଥିବା ଖବର ପାଇଁ ବିଡିଓ ଡ.ଜଗଦୀଶ ଷଡ଼ଙ୍ଗୀ ଏବଂ ଥାନା ଅଧିକାରୀ କୌଶିକ ମାଝୀ ଦୁଇ ପ୍ରଶାସନିକ ଅଧିକାରୀଙ୍କ ସମେତ ସ୍ୱେଚ୍ଛାସେବୀ ସଂଗଠନ ଜାଗୃତିର ସଂପାଦକ କୈଳାଶ ଦଣ୍ଡପାଟ ଓ ଅନ୍ୟମାନେ ପ୍ରବାସୀମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ବଲାଙ୍ଗୀର ଜିଲ୍ଲାର ୬ଜଣ ପ୍ରବାସୀ ତାମିଲନାଡୁ ଠାରୁ ସାଇକେଲରେ ଆସି ଦାରିଙ୍ଗବାଡ଼ି ଠାରେ ପହଂଚିଥିବା ବେଳେ ସେମାନଙ୍କୁ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସହାୟତାର ହାତ ବଢ଼ାଇଥିଲେ। ଆସିଥିବା ୬ଜଣଙ୍କର ନାମଠିକଣା ବୁଝିବା ସହିତ ଥାନା ଅଧିକାରୀ ଖାଦ୍ୟ ପାନୀୟ ଯୋଗାଇ ଦେଇଥିଲେ ।

ଏଥି ସହିତ ସେ ଏକ ଟାଟା ପିକଅପ ଗାଡ଼ି ଭଡ଼ା କରି ୬ଜଣଙ୍କୁ ବଲାଙ୍ଗୀର ପର୍ଯ୍ୟନ୍ତ ପଠାଇବାର ବ୍ୟବସ୍ଥା କରିଥିଲେ। ସେହିପରି ଗତକାଲି ରାତି ପ୍ରାୟ ୯ଟା ସମୟରେ ଦାରିଙ୍ଗବାଡ଼ିର ବାଇମାଲା ଚେକପୋଷ୍ଟରେ ନୂଆପଡ଼ା ଓ ବରଗଡ଼ ଜିଲ୍ଲାର ୧୩ଜଣ ପ୍ରବାସୀ ଓଡ଼ିଆ ତାମିଲନାଡୁ ଓ ତ୍ରିପୁର ଅଂଚଳରୁ ଅନ୍ଧାର ରାତିରେ ସାଇକେଲରେ ଆସୁଥିବା ନେଇ ଦାରିଙ୍ଗବାଡ଼ି ବିଡିଓ ଶ୍ରୀ ଷଡ଼ଙ୍ଗୀ ଖବର ପାଇ ଚେକପୋଷ୍ଟରେ ସେମାନଙ୍କ ପାଇଁ ଆଲୋକବ୍ୟବସ୍ଥା ସହିତ ସେମାନଙ୍କୁ ସୁରକ୍ଷା କର୍ଡନ ଭଳି ବ୍ୟବସ୍ଥା କରି ସାଇକେଲ ପଛରେ ନିଜେ ରହି ସେଠାରୁ ୧୦କିଲୋମିଟର ଦୂର ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ ଆଣିଥିଲେ।

ଏହାପରେ ସେମାନଙ୍କୁ ଆମ୍ବେଦକର କଲେଜରେ ରାତ୍ରିଯାପନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବା ସହିତ ସେମାନଙ୍କୁ ରାତ୍ରୀଭୋଜନ ଦିଆଯାଇଥିଲା। ରାତ୍ରୀଭୋଜନ ସମୟରେ ସେମାନେ କିପରି ତାମିଲନାଡୁରୁ ଚାଲିଚାଲି ଆସିବା ସମୟରେ ବାଟରେ ମାଡ଼ ଖାଇ ଆସିଥିଲେସ ସେ ବାବଦରେ କହୁଥିବା ବେଳେ ବ୍ରହ୍ମପୁର ଠାରେ ପହଂଚିବା ପରେ ଘର ଲୋକ ଟଙ୍କା ପଠାଇବାରୁ ସେଠାରୁ ସାଇକେଲ କିଣି ସେଥିରେ ଆସୁଥିବା କହିଥିଲେ। ସେହିପରି ସେମାନେ ସେଠାରେ ରାତ୍ରିଯାପନ କରିଥିବା ବେଳେ ଦାରିଙ୍ଗବାଡ଼ି ବିଡିଓ ସେମାନଙ୍କ ନିଜ ଗ୍ରାମକୁ ଯିବା ପାଇଁ ସେଠାକର ପ୍ରଶାସନିକ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ। ଆଜି ସକାଳେ ସେମାନେ ଜଳଖିଆ ଖାଇ ସାରିବା ପରେ ଦାରିଙ୍ଗବାଡ଼ି ବିଡିଓ ସେମାନଙ୍କୁ ଏକ ଗାଡ଼ି ଯୋଗେ ସେମାନଙ୍କ ଅଂଚଳକୁ ପଠାଇବା ବ୍ୟବସ୍ଥା କରିଥିବା ବେଳେ ସେଠାକର ପରିବହନ ବିଭାଗ ତରଫରୁ ୧୩ଜଣଙ୍କୁ ନେବା ପାଇଁ ଏକ ଗାଡ଼ି ବାଲିଗୁଡ଼ା ପର୍ଯ୍ୟନ୍ତ ଆସିଥିଲା ବୋଲି ବିଡିଓ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଦାରିଙ୍ଗବାଡ଼ି ଅଂଚଲର ଏହି ୨ ଅଧିକାରୀ ଓ ଅନ୍ୟମାନଙ୍କ ସହାୟତା ପାଇ ନିଜ ଅଂଚଳକୁ ସୁବିଧାରେ ଯାଇପାରିଥିବା ବେଳେ ପ୍ରବାସୀ ମାନେ ଧନ୍ୟବାଦ ଜଣାଇବାକୁ ଭୁଲିନଥିଲେ ଅନେକ ଦିନ ଚାଲିଚାଲି ଆସୁଥିଲେ ସୁଦ୍ଧା କେହି ସେମାନଙ୍କୁ ସହାୟତାର ହାତ ବଢ଼ାଇନଥିଲେ ବୋଲି କହିବା ବେଳେ ସେମାନଙ୍କ ଆଖିରେ କୁହ ଆସିଯାଉଥିଲା। ତେବେ ଦାରିଙ୍ଗବାଡ଼ି ବ୍ଲକର ବିଡିଓ ଏବଂ ଥାନା ଅଧିକାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଏହି ୧୯ଜଣ ପ୍ରବାସୀ ସେମାନଙ୍କ ଅଂଚଳକୁ ଯାଇଥିବା ବେଳେ ବିଭିନ୍ନ ମହଲରୁ ସେମାନଙ୍କୁ ପ୍ରସଂଶା କରାଯାଇଛି ।