ଶୁଣିଲାନି ପ୍ରଶାସନ,ଦିନମଜୁରି ଟଙ୍କାରେ ଗାଁ’ କୁ ଫେରିଲେ ବିଦ୍ୟାର୍ଥୀ

ଫୁଲବାଣୀ,ଦାରଙ୍ଗବାଡି,ଏନ୍ଏନ୍ଏସ୍ : କରୋନା ଭୂତାଣୁ ଯୋଗୁଁ ବିଭିନ୍ନ ସ୍ଥାନରେ ରାଜ୍ୟବାସୀମାନେ ଫସି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ଲାଗି ରାଜ୍ୟ ସରକାର ଅନେକ ଯୋଜନା ମଧ୍ୟ କରି ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିଛନ୍ତି। ତେବେ ରାଜ୍ୟ ବାହାରୁ ରାଜ୍ୟବାସୀଙ୍କୁ ରାଜ୍ୟ ସରକାର ଆଣିବା ବ୍ୟବସ୍ଥା କରୁଛନ୍ତି। କିନ୍ତୁ ଲକଡାଉନ ଯୋଗୁଁ ଦାରିଙ୍ଗବାଡ଼ି ବ୍ଲକର ୪ଜଣ ଛାତ୍ର ଗାଁ’କୁ ଫେରିନପାରି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଫସିରହିଥିଲେ। ଖାଇବା ପିଇବା ପାଇଁ ପାଖରେ ଟଙ୍କା ନଥିବାବେଳେ ସେମାନେ ଦିନମଜୁରି ଲାଗି ସେହି ଟଙ୍କାରେ ଡାଲିଚାଉଳ କିଣି ଖାଇଥିଲେ। ତେବେ ପାଠ ପଢ଼ିବା ବୟସରେ କେତେ ଦିନ ଆଉ ଡହଡହ ଖରାରେ କାମ କରିଥାନ୍ତେ। ଗାଁ’ କୁ ଫେରିବା ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଆଗରେ ନେହୁରା ହୋଇଥିଲେ ସୁଦ୍ଧା ତାଙ୍କ ପାଇଁ କୌଣସି ବ୍ୟବସ୍ଥା ନହେବାରୁ ଶେଷରେ ଦିନ ମଜୁରି ଲାଗି ମିଳିଥିବା ଟଙ୍କାରେ ଏକ ବୋଲେରୋ ଭଡ଼ା କରି ଶୁକ୍ରବାର ଦିନ ଅପରାହ୍ନ ୩ଟା ସମୟରେ ସେମାନେ ନିଜ ଗାଁ’ରେ ପହଂଚିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଂଚାୟତ ଟେକାଙ୍ଗିଆ ୩ ଜଣ ଓ ସରାମୂଳୀ ପଂଚାୟତ ସିଂଜାକୁଟୀ ଗ୍ରାମର ଜଣେ ଛାତ୍ର ଭୁବନେଶ୍ୱରରେ ରହି ଭିନ୍ନ ଭିନ୍ନ ମହାବିଦ୍ୟାଳୟରେ ପାଠ ପଢ଼ୁଥିଲେ। ସେମାନଙ୍କ ଖାଇବା ପିଇବା ପାଇଁ ଘର ଲୋକେ ସେମାନଙ୍କ ନିକଟକୁ ରାସନ ସାମଗ୍ରୀ ଇତ୍ୟାଦି ବସ୍ ଯୋଗେ ପଠାଇଥାନ୍ତି । କିନ୍ତୁ ମାର୍ଚ୍ଚ ମାସରୁ ରାଜ୍ୟରେ ଲକଡାଉନ ଜାରି ହେବା ସହିତ ବସ୍ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା । ଯାହାଫଳରେ ସେମାନେ ସେଠି ହିଁ ରହିଯାଇଥିଲେ। ପାଖରେ ଥିବା ରାସନ ସାମଗ୍ରୀ ସରିଯିବା ପରେ ଖାଇବା ପାଇଁ କିଛି ଟଙ୍କା ମଧ୍ୟ ନଥିବାରୁ ସେମାନେ ବାଧ୍ୟ ହୋଇ ଦିନମଜୁରି ଭାବରେ କାମକରିବାକୁ ବାଧ୍ୟ ହୋଇଥିଲେ। ମଜୁରି ଲାଗି ପାଇଥିବା ଟଙ୍କାରେ ଆଜି ସିଂଜାକୁଟି ଗ୍ରାମର ସାହୁ ପାଟ୍ଟମାଝୀ ସମେତ ଟେକାଙ୍ଗିଆ ଗ୍ରାମର ଆଲୋକ ସୁନାମାଝୀ ଓ ତପନ ସୁନା ମାଝୀ ଫେରିଥିବା ବେଳେ ତାଙ୍କ ସହିତ ତାଜୁଙ୍ଗିଆ ପଂଚାୟତ କଲିଙ୍ଗି ଗ୍ରାମର ସୁରଭି ମୁଠାମାଝୀ ଓ ହାତୀମୁଣ୍ଡା ପଂଚାୟତ ବିଜାଲି ଗ୍ରାମର ଉମାକାନ୍ତ ମଲିକ ସହିତ ଗାଁ କୁ ଫେରିଛନ୍ତି।

ଆଜି ୫ଜଣ ଦାରିଙ୍ଗବାଡ଼ି ଆସିଥିବା ବେଳେ ଅପରାହ୍ନ ପ୍ରାୟ ୧ଟା ସମୟରେ ସେମାନେ ଡବେରୀ ଠାରେ ପହଂଚିଥିବା ବେଳେ ସେଠାରେ ସେମାନଙ୍କ କାଗଜପତ୍ର ଯାଂଚ କରାଯାଇଥିବା ବେଳେ ଦାରିଙ୍ଗବାଡ଼ି ବିଡିଓ ଡ. ଜଗଦୀଶ ଷଡଙ୍ଗୀ, ଥାନା ଅଧିକାରୀ କୌଶିକ ମାଝୀ ପ୍ରମୁଖ ସେଠାରେ ପହଂଚି ସେମାନଙ୍କୁ ଘରେ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦେଇଥିଲେ। ବିଡିଓଙ୍କ ପରାମର୍ଶ କ୍ରମେ ସମସ୍ତେ ନିଜ ନିଜ ଗ୍ରାମକୁ ଯାଇ ସଂଗରୋଧରେ ରହିବେ ବୋଲି କହି ନିଜ ନିଜ ଗାଁ’ କୁ ଯାଇଥିଲେ।

ଏଠାରେ ସୂଚନା ଯୋଗ୍ୟଯେ, ଆଜିଫେରିଥିବା ଛାତ୍ରମାନେ ଭୁବନେଶ୍ୱରରେ ଫସିରହିଥିବା ବେଳେ ସେମାନେ ନିଜ ଗାଁ’କୁ ଫେରିବା ପାଇଁ ସୁନ୍ଦରପଦା ଥାନା ଓ ଖଣ୍ଡଗିରି ଥାନାକୁ ଯାଇ ସାହାଯ୍ୟ ଲୋଡ଼ିଥିଲେ। ହେଲେ ସେମାନେ ସେଠାରୁ ନିରାଶ ହୋଇଥିଲେ। ଏ ନେଇ ଜିଲ୍ଲାପ୍ରଶାସନର ସହାୟତା ପାଇବା ପାଇଁ ଫୋନ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ସେମାନଙ୍କୁ ନିଜ ସୁବିଧାରେ ଆସିବା ପାଇଁ କୁହାଯାଇଥିଲା ବୋଲି ପୁର୍ବରୁ ଏହି ଛାତ୍ରମାନେ ଅଭିଯୋଗ ମଧ୍ୟ କରିଥିଲେ।