ଦାଦନ ଖଟିବାକୁ ଯାଇ ଶ୍ରମିକ ମୃତ, ଆସିପାରୁନି ମୃତ ଦେହ

ଫୁଲବାଣୀ,ଏନ୍ଏନ୍ଏସ୍ : ଫୁଲବାଣୀର ଜଣେ ଶ୍ରମି ରୋଜଗାର ଆଶାରେ ଏଠାରେ କାମଧନ୍ଦା ନପାଇ ରୋଜଗାର ପାଇଁ ଦାଦନ ଖଟିବାକୁ ଯାଇ ଚେନ୍ନାଇରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବରେ କାମ କରୁଥିବା ବେଳେ ତାଙ୍କର ୧୯ ତାରିଖରେ ମୃତ୍ୟୁ ଘଟିଛି। ସେଠାରେ ପୋଲିସ ଶବକୁ ଜବତ କରିବାସହିତ ଶବକୁ ବ୍ୟବଚ୍ଛେଦ କରାଇବା ସହିତ ତାର କୋଭିଡ-୧୯ ପରୀକ୍ଷା କରାଇବାକୁ ରକ୍ତର ନମୂନା ପଠାଇଥିବା ଜଣାପଡିଛି। ତେବେ ରିପୋର୍ଟ ଆସିବା ପରେ ତାର ମୃତଦେହ ଆସିବା ନେଇ ଜଣାପଡିବ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ମାସରେ ଫୁଲବାଣୀର ନଦିଖଣ୍ଡି ସାହିରେ ପରିବାର ସହ ରହୁଥିବା ସଞ୍ଜିବ ମହାକୁଡ (୪୪) ନାମକ ବ୍ୟକ୍ତି ଜଣକ ଏଠାରେ କାମଧନ୍ଦା ନପାଇ ଚେନ୍ନାଇରେ ଥିବା ସମ୍ପର୍କିୟ ନିକଟକୁ ଯାଇ ସେଠାରେ ଥିବା “ପିସିସି ହାଇଡ୍ରୋଲିକ” ନାମକ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲା। ଗତ ୧୮ ତାରିଖ ସୋମବାର ଦିନ ରାତିରେ ଖାଇବା ପରେ ସେ ଅସୁସ୍ଥ ହୋଇ ପଡିଥିଲା। ସେଠାରୁ ତାକୁ ତାର ସମ୍ପର୍କିିୟମାନେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ଏବଂ ଚିକିତ୍ସିତ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା। ଖବର ପାଇବାପରେ ସ୍ଥାନୀୟ ପୋଲିସ ଶବକୁ ବ୍ୟବଛେଦ ପାଇଁ ପଠାଇବା ସହିତ ତା’ର କୋଭିଡ ପରୀକ୍ଷା ପାଇଁ ତାର ରକ୍ତ ନମୂନା ମଧ୍ୟ ପଠାଯାଇଛି।

ଏହି ପରୀକ୍ଷାର ରିପୋର୍ଟ ଆସିବା ପରେ ଏବଂ ତା’ର କୋରୋନା ନେଗେଟିଭ ହେଲେ ହିଁ ତାର ମୃତ ଦେହ ଫୁଲବାଣୀ ଆସିବ ବୋଲି ଜଣାପଡିଛି । ଆଜି ଏହି ସୁଚନା ପାଇବାପରେ ଜିଲ୍ଲା ଶ୍ରମ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶ୍ରମ ଅଧିକାରୀ ପ୍ରିୟଦର୍ଶିନି ନାୟକ ଘଟଣାର ତଦନ୍ତ କରିବା ସହିତ ମୃତ ଦେହ କିପରି ଫୁଲବାଣୀ ଆସିବ ସେ ନେଇ ଚେନ୍ନାଇର ସେହି କମ୍ପାନୀ ସହ ଯୋଗା ଯୋଗ କରିଥିଲେ। ମୃତ ସଞ୍ଜିବର ପରିବାରରେ ସେ ହିଁ ଜଣେ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲା ଫୁଲବାଣୀରେ ତା’ର ଗୋଟିଏ ୧୭ ବର୍ଷର ପୁଅ ଓ ୧୦ ବର୍ଷର ଝିଅ ସମେତ ପତ୍ନୀ ଅଛନ୍ତି। ବର୍ତମାନ ସେମାନେ ତା’ର ଶବକୁ ଫୁଲବାଣି ଆଣିବାପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି।