‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗଦେଲେ କନକ ବର୍ଦ୍ଧନ ସିଂଦେଓ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: କେନ୍ଦ୍ର ସରକାର ସମଗ୍ର ଦେଶରେ ସହିଦଙ୍କୁ ଉପଯୁକ୍ତ ସମ୍ମାନ ଦେବାପାଇଁ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହିକ୍ରମେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ମଟିଆଭଟା ପଞ୍ଚାୟତର ସାଲେପାଲି ଗାଁରୁ ବିଜେପି ରାଜ୍ୟ ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂହଦେଓଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଅମୃତ କଳସିକୁ କନକ ବର୍ଦ୍ଧନ ସିଂହଦେଓ ହାତରେ ଧରିବା ପରେ ଗାଁ ରାସ୍ତାରେ ଏକ ବିଶାଳ ପଟୁଆର ବାହାରିଥିଲା । ଗାଁର ବିଭିନ୍ନ ବର୍ଗର ଲୋକେ ଏହି ସ୍ମରଣୀୟ କାର୍ଯ୍ୟରେ ବ୍ୟକ୍ତିଗତ ତଥା ସ୍ୱତପ୍ରବୃତ୍ତ ଭାବେ ସାମିଲ ହୋଇଥିଲେ । ଗାଁର ବିଭିନ୍ନ ଘରୁ ମାଟି ସଂଗ୍ରହ କରି ଦିଲ୍ଲୀ ପଠାଯାଇ ସେଠାରେ ଏକ ଶ୍ରୁତି ସ୍ତମ୍ଭ ନିର୍ମାଣ କରାଯିବ । ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ପ୍ରବୀଣ ଅଗ୍ରୱାଲ, କର୍ଣ୍ଣ ଠାକୁର, ସୁଦାମ ପ୍ରଧାନ, ମଧୁ ସାହୁ, ମଧୁ ବରିହା, ସୁବାସ ସାହୁ, ବାବାଜୀ ମେହେର, ଭରତ ସାହୁ ଓ ମତିଆଭଟା ସରପଞ୍ଚ ସନ୍ତୋସିନୀ ବରିହାଙ୍କ ସମେତ ଗାଁର ବହୁ ସଂଖ୍ୟକ ମହିଳା ଓ ପୁରୁଷ ଗାଁ ଦାଣ୍ଡରେ ଜାତୀୟ ପତାକା ଧରି ଘରକୁ ଘର ଯାଇ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ଏବଂ ପ୍ରତ୍ୟେକ ଘରୁ ମାଟି ସଂଗ୍ରହ କରିଥିଲେ । ସମସ୍ତ ସଂଗୃହୀତ ମାଟିକୁ ଅମୃତ କଳସରେ ଦିଲ୍ଲୀ ପଠାଯିବା ସହ ସେଠାରେ ଅମୃତ ବାଟିକା ସ୍ଥାପନ ସହ ସହୀଦଙ୍କ ଫଳକ ଲାଗିବ ବୋଲି କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । ମତିଆଭଟା ଗାଁରେ ଅମୃତ କଳସକୁ କୁନି କୁନି ଛାତ୍ରଛାତ୍ରୀମାନେ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ ।