କଡା ଟିପ୍ପଣୀ କମଲେଶ ତିୱାରୀଙ୍କ ପାଇଁ ହେଲା କାଳ, ୪ବର୍ଷ ପରେ ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ରାଜନେତା କମଲେଶ ତିୱାରୀଙ୍କୁ ହତ୍ୟା ମାମଲାର ତଦନ୍ତ କରି ପୁଲିସ ଜଣେ ମୌଲବୀଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଶନିବାର ଗଣମାଧ୍ୟମ ସମ୍ମିଳନୀରେ ଉତ୍ତର ପ୍ରଦେଶ ଡିଜିପି ଓପି ସିଂହ ଏ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ତାଙ୍କ ସୂଚନାନୁସାରେ ଗୁଜରାଟ ଏଟିଏସ୍ ସୁରତରେ ତିନିଜଣଙ୍କୁ ଗିରଫ କରିଥିଲା ବେଳେ ଉତ୍ତରପ୍ରଦେଶ ପୁଲିସ ବିଜନୋରରୁ ଦୁଇଜଣଙ୍କୁ ଗିରଫ କରିଥିଲା।

ତଦନ୍ତର ପ୍ରତିଟି ଦିଗକୁ ଭଲ ଭାବରେ ଅନୁଧ୍ୟାନ କରିବା ପରେ ମାତ୍ର ୨୪ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ଧରିବା ପୁଲିସ ପକ୍ଷେ ସହଜ ହୋଇଥିଲା। ମୃତ କମଲେଶଙ୍କ ପତ୍ନୀଙ୍କ ଲିଖିତ ଏଫଆଇଆରରେ ଦୁଇଜଣ ମୁସଲିମ କ୍ଲରିକଙ୍କ ନାମ ଅଛି। ହତ୍ୟାକାଣ୍ଡରେ ଆଉ ଦୁଇଜଣଙ୍କର ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି। କମଲେଶଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଥିବା ଗୁଜରାଟ ଏଟିଏସ୍ ହାତରେ ଧରାପଡ଼ିଥିବା ତିନି ଅଭିଯୁକ୍ତ ସ୍ୱୀକାର କରିଛନ୍ତି। ଏହି ହତ୍ୟାକାଣ୍ଡ ପଛରେ କୌଣସି ଅନ୍ତର୍ଜାତୀୟ ଆତଙ୍କୀ ସଂଗଠନ ହାତ ଥିବା ପୁଲିସ ସନ୍ଦେହ ପ୍ରକାଶ କରିଛି।

୨୦୧୫ରେ ଏକ ସଭାରେ ଯୋଗ ଦେଇ କମଲେଶ ତିୱାରି ମୁସଲିମ ଧର୍ମ ପ୍ରବର୍ତ୍ତକ ମହମ୍ମଦଙ୍କ ପ୍ରତି ଅପମାନସୂଚକ ଭାଷଣ ଦେଇଥିବାରୁ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। କମଲେଶଙ୍କ ମୁଣ୍ଡ ପାଇଁ ବିଜନୋରରୁ ଗିରଫ ମୌଲବୀ ୫୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ବୋଲି ପୁଲିସ କହିଛି। ହତ୍ୟାକାଣ୍ଡରେ ଜଡ଼ିତ ସବୁ ଅଭିଯୁକ୍ତଙ୍କୁ ଧରାଯିବା ପରେ ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିବ।

ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯିବା ସତ୍ତେ୍ୱ କମଲେଶ ତିୱାରୀଙ୍କୁ କଡ଼ା ସୁରକ୍ଷା ପ୍ରଦାନ କରାଯାଇନଥିଲା। ଏ ସମ୍ପର୍କରେ ଡିଜିପି ସିଂହଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ଉକ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ ତିୱାରୀଙ୍କ ସୁରକ୍ଷା ପାଇଁ ଜଣେ ବନ୍ଧୁକଧାରୀଙ୍କ ସମେତ ଦୁଇଜଣଙ୍କୁ ମୁତୟନ କରାଯାଇଥିଲା। ଗୁଜରାଟ ଏଟିଏସ୍ ହାତରେ ଧରାପଡ଼ିଥିବା ତିନି ଅଭିଯୁକ୍ତଙ୍କ ପରିଚୟ ଜଣାପଡ଼ିଛି। ସେମାନେ ହେଲେ ମୌଲାନା ମହସିନ୍ ଶେଖ, ରସିଦ ଅହମ୍ମଦ ପଠାନ୍ ଓ ଫୈଜାନ। କମଲେଶଙ୍କୁ ହତ୍ୟା କରିବା ପାଇଁ ରସିଦ ଯୋଜନା ପ୍ରସ୍ତୁତ କରିଥିଲା ବେଳେ ଫୈଜାନ ବଜାରରୁ ମିଠା ପ୍ୟାକେଟ୍ କିଣିଥିଲା। ହତ୍ୟା ଘଟଣା ଦିନ ମିଠା ପ୍ୟାକେଟରେ ବନ୍ଧୁକ ଲୁଚାଇ ହତ୍ୟାକାରୀମାନେ କମଲେଶଙ୍କ ନିକଟକୁ ଯାଇଥିଲେ ବୋଲି ପୁଲିସ ପୂର୍ବାନୁମାନ କରୁଛି।

ଆମର ଉତ୍ତରପ୍ରଦେଶ ପୁଲିସ ତଦନ୍ତ ଉପରେ ବିଶ୍ୱାସ ପାଉନାହିଁ। ପୁଲିସ ଉପସ୍ଥିତିରେ ବାପାଙ୍କୁ ହତ୍ୟା କରାଗଲା। ଆମ ପରିବାରକୁ ରୀତିମତ ହତ୍ୟା ଧମକ ଦିଆଯାଉଥିବା ସମ୍ପର୍କରେ ଉତ୍ତର ପ୍ରଦେଶ ସରକାର ଜାଣିଥିଲେ ମଧ୍ୟ ଢିଲା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ। ବାପାଙ୍କ ହତ୍ୟା ମାମଲାର ତଦନ୍ତ ଭାର ଏନ୍ଆଇଏ ଗ୍ରହଣ କରନ୍ତୁ। ଏନ୍ଆଇଏ ତଦନ୍ତ ଉପରେ ଆମର ଭରସା ଅଛି।
– ସତ୍ୟମ, କମଲେଶଙ୍କ ବଡ଼ପୁଅ