କମଲେଶ ତିୱାରୀଙ୍କ ହତ୍ୟା ମାମଲାରେ ୫ ଅଟକ

ଲକ୍ଷ୍ନୌ,ଏଜେନ୍ସି: ଲକ୍ଷ୍ନୌରେ ହିନ୍ଦୁ ମହାସଭା ନେତା କମଲେଶ ତିଓ୍ଵାରୀଙ୍କୁ ହତ୍ୟା କରାଯିବା ଘଟଣାରେ ଏସଟିଏଫ୍ ୫ଜଣଙ୍କୁ ଅଟକ ରଖିଛି। ସୂଚନା ଅନୁସାରେ ସୁରଟ ପୁଲିସ ଓ ଗୁଜୁରାଟ ଏଟିଏସ୍‌ ଟିମ୍‌ ମିଳିତ ଭାବେ ୩ଜଣଙ୍କୁ ଚିହ୍ନଟ କରି ପଚରାଉଚୁରା ଜାରି ରହିଛି। ଏଥିସହ ଉକ୍ତ ହତ୍ୟାମାମଲାରେ ସମ୍ପୃକ୍ତ ଥିବା ଦୁଇ ସାର୍ପ ସୁଟରଙ୍କୁ ମଧ୍ୟ ପୁଲିସ ଚିହ୍ନଟ କରିଥିବା ଜଣାପଡ଼ିଛି ।

ପୂର୍ବରୁ କମଲେଶଙ୍କ ପତ୍ନୀ ପୁଲିସରେ ଅଭିଯୋଗ କରିଥିଲେ କି, ଶୁକ୍ରବାର ୧୨ଟା ୩୦ମିନିଟ୍‌ରେ ଆମ ଘର ଉପର ମହଲାରେ ମୋ ସ୍ୱାମୀ ତାଙ୍କ ଅଫିସରେ ବସିଥିବା ବେଳେ ତାଙ୍କୁ ଦୁଇ ଜଣ ଲୋକ ଭେଟିବାକୁ ଆସିଥିଲେ । ପ୍ରାୟ ୪-୫ମିନିଟ୍‌ ପର୍ଯ୍ୟନ୍ତ ପାଟି ଶୁଣା ନ ଯିବାରୁ ମୁଁ ତାଙ୍କ ଅଫିସ ଭିତରକୁ ଯିବା ପରେ ମୋ ସ୍ୱାମୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିବାର ଦେଖିଥିଲି । ୨୦୧୬ରେ ଦୁଇଜଣ ମୌଲବୀ ମୋ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ୧.୫କୋଟି ଟଙ୍କା ଘୋଷଣା କରିଥିଲେ । ସେମାନେ ହିଁ ମୋ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ।