କୋରାପୁଟ ହସ୍ପିଟାଲରେ କମଳା ପୂଜାରୀ, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଜିଲ୍ଲାପାଳ

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୂଜାରୀ(୭୨)। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମେଡିକାଲ କଲେକୁ ଯାଇ କମଳାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଚିକିତ୍ସା ନିମନ୍ତେ ସମସ୍ତ ସହାୟତା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

ସୂଚନାଯୋଗ୍ୟ, ଉଚ୍ଚ ରକ୍ତଚାପ ସହ ଅନ୍ୟାନ୍ୟ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁ ସେ ୪ଦିନ ହେବ ଜୟପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସ୍ୱାସ୍ୱ୍ୟବସ୍ଥାରେ କୌଣସି ସୁଧାର ନଆସିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ କମଳାଙ୍କୁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କମଳାଙ୍କୁ ଏବେ ମେଡିକାଲର ଏକ ସ୍ୱତନ୍ତ୍ର କେବିନରେ ରଖାଯାଇ ଚିକିତ୍ସା କରାଯାଉଥିବାବେଳେ ବୁଧବାର ପୂର୍ବାହ୍ନରେ ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା। ଜିଲ୍ଲାପାଳ ମଧୁସୂଦନ ମିଶ୍ର ମେଡିକାଲ କଲେକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର କୃଷ୍ଣଚନ୍ଦ୍ର ବିଶ୍ୱାଳ, ଅଧୀକ୍ଷକ ପ୍ରଫେସର ହରେକୃଷ୍ଣ ଦଳେଇ, କଲେଜ ପ୍ରଶାସନିକ ଅଧିକାରୀ ମଧୁମିତା ନାୟକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ, ହସ୍ପିଟାଲ ମ୍ୟାନେଜର ଶୁଭେନ୍ଦୁ ପଣ୍ଡା ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।