କଳିଙ୍ଗ ଷ୍ଟାଡିୟମରେ କମଳ ହାସନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତର କିମ୍ବଦନ୍ତୀ ଚଳଚ୍ଚିତ୍ର ତାରକା ପଦ୍ମଶ୍ରୀ କମଳ ହାସନ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍ ପରିଦର୍ଶନରେ ଯାଇଥିଲେ। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ଶାସନ ସଚିବ ତଥା କମିଶନର ବିଶାଳ ଦେବ ଏବଂ ନିର୍ଦ୍ଦେଶକ ଭିନୀଲ କ୍ରିଷ୍ଣା ଶ୍ରୀ ହାସନଙ୍କୁ ଷ୍ଟାଡିୟମ୍ ବୁଲାଇ ଦେଖାଇଥିଲେ। ଓଡ଼ିଶା ସରକାର ପକ୍ଷରୁ କ୍ରୀଡ଼ାକୁ ଯୋଗାଇ ଦିଆଯାଉଥିବା ପ୍ରୋତ୍ସାହନକୁ ସେ ଖୁବ୍ ପ୍ରଶଂସା କରିଥିଲେ।

କଳିଙ୍ଗ ଷ୍ଟାଡିୟମରେ ଏବେ ଭାରତୀୟ ହକି ଦଳର ପ୍ରଶିକ୍ଷଣ ଶିବିର ଚାଲିଛି। କିମ୍ବଦନ୍ତୀ କମଳ ଭାରତୀୟ ଖେଳାଳିଙ୍କ ସହ ମିଶିଥିଲେ। ସେମାନଙ୍କୁ ଭଲ ଖେଳିବାକୁ ପରାମର୍ଶ ଦେବା ସହ ଆଲୋଚନା ମଧ୍ୟ କରିଥିଲେ। ଏହି ଅବସରରେ ଭାରତୀୟ ହକି ଦଳ ପକ୍ଷରୁ ଶ୍ରୀ ହାସନଙ୍କୁ ଟିମ୍ ଇଣ୍ଡିଆର ଏକ ଜର୍ସି ଉପହାର ଦିଆଯାଇଥିଲା।

ଏହା ପରେ ଶ୍ରୀ ହାସନ ଆଇଏସ୍ଏଲ୍ ଟିମ୍ ଓଡ଼ିଶା ଫୁଟବଲ କ୍ଲବର ଟ୍ରେନିଂ ଦେଖିବାକୁ ଯାଇଥିଲେ। ସେଠାରେ ମଧ୍ୟ ତାଙ୍କୁ ଦେଖି ଖେଳାଳିମାନେ ବେଶ୍ ଉତ୍ସାହିତ ହୋଇଥିଲେ। ଶ୍ରୀ ହାସନଙ୍କୁ ମଧ୍ୟ ଓଡ଼ିଶା ଫୁଟବଲ କ୍ଲବର ଜର୍ସି ପ୍ରଦାନ କରାଯାଇଥିଲା। ତାଙ୍କ ଉପସ୍ଥିତି ଖେଳାଳିଙ୍କ ମନରେ ଉତ୍ସାହ ଆଣିଥିଲା।