ନଭେମ୍ବରରେ ମିଳିବ ଦ୍ୱିତୀୟ କିସ୍ତି କାଳିଆ ଟଙ୍କା

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଆସନ୍ତା ମାସରେ କାଳିଆ ଯୋଜନା ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ । କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି । ମଙ୍ଗଳବାର ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାଳିଆ ଯୋଜନା ଟଙ୍କା ଆବଂଟନ ସମ୍ପର୍କିତ ବୈଠକରେ ଏହି ନିଷ୍ପତି ନିଆଯାଇଛି । ବୈଠକ ପରେ ସଚିବ ଶ୍ରୀ ଗର୍ଗ କହିଛନ୍ତି ଯେ ଦ୍ୱିତୀୟ କିସ୍ତି ଟଙ୍କା ଦେବା ପାଇଁ ଯାଂଚ ପ୍ରକ୍ରିୟା ଅଗଷ୍ଟ ମାସରେ ଶେଷ ହୋଇଛି । ତେବେ କେତେ ଯୋଗ୍ୟ ଏବଂ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ବୋଲି ପ୍ରଶ୍ନ ହେବାରୁ ତାର ଉତର ସେ ଦେଇ ନଥିଲେ । ପ୍ରଥମ କିସ୍ତି କାଳିଆ ଟଙ୍କା ୫୧ ଲକ୍ଷ କ୍ଷୂଦ୍ର ଓ ନାମମାତ୍ର ଚାଷୀ ପାଇଥିଲେ । ଯାଂଚ ପରେ ୩ ଲକ୍ଷ ୨୦ ହଜାର ଚାଷୀ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିଲେ ।