ତାମିଲନାଡୁରେ କଳାହଣ୍ଡିର ୨ ଯୁବତୀ ମୃତ

ଭବାନୀପାଟଣା/ଗୋଲାମୁଣ୍ଡା, ଏନ୍ଏନ୍ଏସ୍ : ତାମିଲନାଡୁର ଏକ ଇଟା ଭାଟିରେ ଦୁର୍ଘଟଣା ଘଟି କଳାହାଣ୍ଡିର ୨ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଯୁବତୀ ହେଲେ ଗୋଲାମୁଣ୍ଡା ବ୍ଲକ୍ ମାନଝରୀ ଗାଁର ସଜନ ଚଣ୍ଡିଙ୍କ ଝିଅ ପ୍ରମିଳା (୨୦) ଏବଂ ମଙ୍ଗଳ ଚଣ୍ଡିଙ୍କ ଝିଅ ମଦନାବତୀ। ଉଭୟେ ତାମିଲନାଡୁର ଥୁରୁଭାଲୁର ଜିଲ୍ଲା ପୋନେରୀ ତାଲୁକ ଥାନା ମିନକୁରଠାରେ ଏକ ଇଟା ଭାଟିରେ କାମ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ମାନଝରୀ ସରପଞ୍ଚ ଗିରିଧାରୀ ତେଜି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୩୦ ହଜାର ଅଗ୍ରୀମ ଟଙ୍କା ନେଇ ୨ ଯୁବତୀଙ୍କୁ ଉକ୍ତ ଇଟାଭାଟିକୁ ଦାଦନ ଖଟିବାକୁ ଯାଇଥିଲେ। ବୁଧବାର ସକାଳ ୮ ଟାରେ ଇଟା ଭାଟିରେ ଇଟା ଲୋଡ୍ କରିବା ବେଳେ ଟ୍ରକରୁ ଇଟା ଧସି ଉଭୟଙ୍କ ଉପରେ ତାପି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ କଳାହାଣ୍ଡି ଜିଲ୍ଲା ଶ୍ରମ ଅଧିକାରୀ କେ. ବେଣୁଗୋପାଳ ରାଓଙ୍କୁ ପଚାରିବାରୁ ଏନେଇ ଖବର ପାଇଥିବା ସେ କହିଛନ୍ତି। ତାମିଲନାଡୁରେ ୨ଦାଦନ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଗୋଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷ ତାଙ୍କୁ ସୂଚିତ କରିଛନ୍ତି। ଘଟଣାର ତଦନ୍ତ କରାଯାଉଛି। ତାମିଲନାଡୁ ଶ୍ରମବିଭାଗ ସହ ଯୋଗାଯୋଗ ସ୍ଥାପନ କରିବାକୁ ଚେଷ୍ଟା କରାଯାଉଛି। ଏ ପର୍ଯ୍ୟନ୍ତ ସେଠାରୁ କିଛି ସୂଚନା ହସ୍ତଗତ ହୋଇନାହିଁ ବୋଲି ଶ୍ରୀ ରାଓ ପ୍ରକାଶ କରିଛନ୍ତି।