କଳାହାଣ୍ଡି ମହାରାଜା ତଥା ପୂର୍ବତନ ବିଧାୟକ ଉଦିତ ପ୍ରତାପ ଦେଓଙ୍କ ପରଲୋକ

କଳାହାଣ୍ଡି, ଏନ୍ଏନ୍ଏସ୍: କଳାହାଣ୍ଡି ମହାରାଜା ତଥା ପୂର୍ବତନ ବିଧାୟକ ଉଦିତ ପ୍ରତାପ ଦେଓଙ୍କ ୭୨ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ସେ ୧୯୪୭ରେ ଜନ୍ମଗ୍ରହଣ କରିଥିଲେ। ସେ ସ୍ୱତନ୍ତ୍ର ପାର୍ଟିରୁ ଜୁନାଗଡରୁ ନିର୍ବାଚିତ ହୋଇ ଓଡିଶା ବିଧାନସଭାରେ ପ୍ରତିନିଧିତ୍ୱ କରିଥିଲେ। ଗତକାଲି ଫୁସଫସ ଜନିତ ସମସ୍ୟା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ଆଜି ସନ୍ଧ୍ୟା ୫ଟା ୪୦ ସମୟରେ ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଘୋଷଣା କରିଥିଲେ। ସେ ଏହି ଚିକିତ୍ସା ନେଇ ନିୟମିତ ହସ୍ପିଟାଲକୁ ଆସୁଥିଲେ।

ତାଙ୍କ ଅନ୍ତିମ ସଂସ୍କାର ଶେଷ ହେବା ପର୍ଯ୍ୟନ୍ତ ରାଜବଂଶର ଆରାଧ୍ୟ ଦେବୀ ମାଣିକେଶ୍ୱରୀଙ୍କ ମନ୍ଦିର ପୂଜାର୍ଚ୍ଚନା ଓ ଦର୍ଶନ ବନ୍ଦ ରହିବ। ତାଙ୍କର ବିୟୋଗରେ ଭବାନୀପାଟଣା, ଲଞ୍ଜିଗଡ ଓ ଜୟପାଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ରାଜ୍ୟ ବିଜେପିର ଗଭୀର ଶୋକ
କଳାହାଣ୍ଡି ମହାରାଜା ଓ ପୂର୍ବତନ ବିଧାୟକ ଉଦିତ୍ ପ୍ରତାପ ଦେଓଙ୍କ ବିୟୋଗରେ ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଏବଂ ରାଜ୍ୟ ନେତୃବୃନ୍ଦ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ସ୍ୱର୍ଗତ ଦେଓଙ୍କ ପିତା ପୂର୍ବତନ କଳାହାଣ୍ଡି ମହାରାଜା ତଥା ପୂର୍ବତନ ସାଂସଦ ପ୍ରତାପ କେଶରୀ ଦେଓ, ସାନ ଭାଇ ତଥା ପୂର୍ବତନ ବିଜେପି ବିଧାୟକ ଦଳ ନେତା ସ୍ୱର୍ଗତ ବିକ୍ରମ କେଶରୀ ଦେଓ ଏବଂ ପୁତ୍ର ଅନନ୍ତ ପ୍ରତାପ ଦେଓଙ୍କ ସମେତ ସଂପୂର୍ଣ୍ଣ କଳାହାଣ୍ଡି ରାଜ ପରିବାର ପଂଶ୍ଚିମ ଓଡିଶାରେ ଭାରତୀୟ ଜନତା ପାର୍ଟୀର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିଛନ୍ତି। ଆଜିର ଦିନରେ ଉଦିତ୍ ପ୍ରତାପ ଦେଓଙ୍କ ବିୟୋଗ ଭାରତୀୟ ଜନତା ପାର୍ଟି ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ବିଜେପି ରାଜ୍ୟ ନେତୃବୃନ୍ଦ ଶୋକବାର୍ତ୍ତାରେ କହିଛନ୍ତି।