କରୋନା ସଂକ୍ରମଣ ଭୟ, ସ୍ଥଗିତ ହେଲା କୈଳାସ ମାନସରୋବର ଯାତ୍ରା

ନୈନିତାଲ,ଏଜେନ୍ସି: ସ୍ଥଗିତ ହେଲା ବିଶ୍ୱ ପ୍ରସିଦ୍ଧ କୈଳାସ ମାନସରୋବର ଯାତ୍ରା। ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରାକୁ ମଧ୍ୟ ସ୍ଥଗିତ ରଖାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଦ୍ୱିତୀୟ ଥର ପାଇଁ ମାନସରୋବର ଯାତ୍ରାକୁ ରଦ୍ଦ କରାଯାଇଛି।

ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ହେତୁ କୈଳାସ ମାନସରୋବର ଯାତ୍ରାକୁ ବନ୍ଦ କରାଯାଇଥିଲା। ତେବେ ପ୍ରତିବର୍ଷ ଜୁନ ୧୫ରୁ କୈଳାସ ମାନସରୋବର ଯାତ୍ରା ଆରମ୍ଭ ହୋଇଥାଏ। ଏହାକୁ ନେଇ କୁମାଓ ମଣ୍ଡଳ ବିକାଶ ନିଗମଙ୍କ ଜିଏମ ଅଶୋକ କୁମାର ଯୋଶୀ କହିଛନ୍ତି ଯେ, ପ୍ରତିବର୍ଷ ପ୍ରାୟ ୨ ହଜାର ଯାତ୍ରୀ ଏହି ଯାତ୍ରା ପାଇଁ ପଞ୍ଜିକୃତ କରନ୍ତି। ସେଥିମଧ୍ୟରୁ ପାଖାପାଖି ୧୦୮୦ ଯାତ୍ରୀଙ୍କୁ ଚୟନ କରାଯାଇ ମେଡିକାଲ ପରୀକ୍ଷଣ ପରେ କୈଳାସ ମାନସରୋବର ଯାତ୍ରା ପାଇଁ ଅନୁମତି ପ୍ରଦାନ କରାଯାଏ।ତେବେ ଏହି ଯାତ୍ରାରେ କୁମାଓ ମଣ୍ଡଳ ବିକାଶ ନିଗମକୁ ପାଖାପାଖି ୫୬ ଲକ୍ଷରୁ ଅଧିକ ଆୟ ହେଉଥିଲା। ମାତ୍ର ଚଳିତଥର ଯାତ୍ରା ରଦ୍ଦ ହେବା କାରଣରୁ ସରକାରଙ୍କୁ ଲକ୍ଷାଧିକ ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡିବ।