ଝାରସୁଗୁଡ଼ା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲାସ୍ଥିତ ମହାଲିଙ୍ଗ ସନସାଇନ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଜି ବିଜେପି ପକ୍ଷରୁ ଝାରସୁଗୁଡ଼ାରେ ଏକ ଶୋଭାଯାତ୍ରା କରାଯାଇଛି। ଏହାସହ ମମିତାଙ୍କ ହତ୍ୟାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଥିବା ଦର୍ଶାଇ ତାଙ୍କୁ ଗିରଫ କରାଯାଉ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି। ଏହି ଅବସରରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ର୍ରିପାଠୀ କହିଛନ୍ତି ଯେ, ମମିତାଙ୍କୁ ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟା କରାଯାଇଛି ଏବଂ ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଗୋବିନ୍ଦ ସାହୁଙ୍କ ସହ ଅନେକ ବଡ଼ ବଡ଼ିଆ ସାମିଲ ରହିଛନ୍ତି। ଫଳରେ ପୁଲିସ ଚାପରେ ଆସି ଘଟଣାକୁ ଗୁରୁତର ସହ ତଦନ୍ତ କରୁନାହିଁ। ମୁଖ୍ୟମନ୍ତ୍ରୀ ନାରୀ ସଶକ୍ତିକରଣର ନାରା ଦେଉଥିବାବେଳେ ତାଙ୍କ ଦଳର ମନ୍ତ୍ରୀମାନେ ନାରୀଙ୍କ ଉପରେ ଅତ୍ୟାଚାର, ଯୌନ ଶୋଷଣ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ରହୁଛନ୍ତି।
ଅନ୍ୟପଟେ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରିବା ସହ ମମିତାଙ୍କୁ ନ୍ୟାୟ ପ୍ରଦାନ ନକଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ପ୍ରତ୍ୟେକ ଥାନା ସମ୍ମୁଖରେ ଆନ୍ଦୋଳନ କରିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ସମୟରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ, ରଘୁ ନନ୍ଦନ ପଣ୍ଡା, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ରୀନା ପଟେଲ, ଆରତୀ ରାୟ, ମହେଶ୍ୱର ନାୟକ, ପ୍ରମୁଖଙ୍କ ସହ ଜିଲ୍ଲା ବିଜେପିର ସଦସ୍ୟମାନେ ଉପସ୍ଥିତ ଥିଲେ।