ଜଷ୍ଟିସ୍ ଏସଏ ବୋବଡ଼େ ପ୍ରଧାନ ବିଚାରପତି ନିଯୁକ୍ତ, ନଭେମ୍ବର ୧୮ରେ ଶପଥ

ନୂଆଦିଲ୍ଲୀ, ଏଜେନ୍ସି: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡ଼େଙ୍କୁ ଆନୁଷ୍ଠାନିକ ଭାବେ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ୍ ବୋବଡ଼େ ନଭେମ୍ବର ୧୮ରେ ଶପଥ ଗ୍ରହଣ କରିବେ। ସେହିଦିନ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଅବସର ଗ୍ରହଣ କରିବେ। ଜଷ୍ଟିସ୍ ଗୋଗୋଇ ବରିଷ୍ଠତା ଭିତ୍ତିରେ ଜଷ୍ଟିସ୍ ବୋବଡ଼େଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦିଆଯିବା ଲାଗି କେନ୍ଦ୍ରକୁ ସୁପାରିସ କରିଥିଲେ। ଜଷ୍ଟିସ୍ ବୋବଡ଼େ ଦେଶର ୪୭ତମ ପ୍ରଧାନ ବିଚାରପତି ହେବେ। ସେ ୧୭ ମାସ ପାଇଁ ଏହି ପଦରେ ରହିବେ ଏବଂ ୨୦୨୧ ଏପ୍ରିଲରେ ଅବସର ଗ୍ରହଣ କରିବେ। ଏହି ପଦ ଅଳଙ୍କୃତ କରିବାରେ ସେ ହେବେ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ଦ୍ୱିତୀୟ ବିଚାରପତି। ତାଙ୍କ ପୂର୍ବରୁ ଜଷ୍ଟିସ୍ ମହମ୍ମଦ ହିଦାୟତୁଲ୍ଲା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୋଇଥିଲେ।