ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ବିମଳ ପ୍ରସାଦ ଦାସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ରାଜ୍ୟ ମାନବାଧିକାର କମିଶନ(ଓଏଚ୍ଆର୍ସି) ଅଧ୍ୟକ୍ଷ ଭାବେ ଜଷ୍ଟିସ୍ ବିମଳ ପ୍ରସାଦ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିମଳ ପ୍ରସାଦ ଦାସଙ୍କୁ ଅଗଷ୍ଟ ୨୨ତାରିଖରେ ରାଜ୍ୟ ସରାକାରଙ୍କ ତରଫରୁ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଦୀର୍ଘ ସାତ ବର୍ଷ ପରେ ଜଷ୍ଟିସ୍ ଦାସଙ୍କୁ ଓଏଚ୍ଆର୍ସିର ସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଶେଷ ଓଏଚ୍ଆର୍ସି ଅଧ୍ୟକ୍ଷ ଭାବେ ୨୦୧୯ ମେ’ ୧୬ ତାରିଖରେ ଜଷ୍ଟିସ୍ ରଘୁବୀର ଦାଶ ପଦରୁ ଅବସର ନେଇଥିଲେ। ରାଜ୍ୟରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ମାମଲାର ଶୁଣାଣି ସହ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯିବା ଦିଗରେ ଧ୍ୟାନ ଦିଆଯିବ ବୋଲି ଦାୟିତ୍ୱ ନେବା ଅବସରରେ କହିଛନ୍ତି ଜଷ୍ଟିସ୍ ବିମଳ ପ୍ରସାଦ ଦାସ।