ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ବସ୍ ଡ୍ରାଇଭର ଗିରଫ

ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ବନମାଳୀପୁର ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଏସପି ବାତୁଳା ଗଙ୍ଗାଧର ଯୁବତୀର ବୟାନ ଭିଡିଓକୁ ଆଧାରକରି ପୁଣି ଥରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଅଭିଯୋଗ ଅନୁଯାୟୀ ଡ୍ରାଇଭର ନରେନ୍ଦ୍ର ଶବରକୁ ଗିରଫ କରିଛନ୍ତି। ତେବେ ପୂର୍ବରୁ ପୀଡ଼ିତା ମାଜିଷ୍ଟ୍ରେଟ ଆଗରେ ଦେଇଥିବା ୧୬୪ ବୟାନରେ ନରେନ୍ଦ୍ର ଉପରେ କୌଣସି ଅଭିଯୋଗ ଆଣି ନଥିବାରୁ ନରେନ୍ଦ୍ରକୁ ପୁଲିସ ଗିରଫ କରିନଥିଲା ଏବଂ ତାକୁ ରାଜସାକ୍ଷୀ କରିଥିଲା।

ଏବେ ଏହି ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି। ଏହି ଘଟଣାରେ ପୁଲିସ ଜଣେ ନାବାଳକ ସମେତ ୯ ଜଣଙ୍କୁ ଜେଲ ପଠାଇ ସାରିଥିବାବେଳେ ଯୁବତୀଙ୍କୁ ଲିଫ୍ଟ ଦେଇ ଅଣିଥିବା ମୁଖ୍ୟ ଆରୋପୀ ଓ ତାଙ୍କ ଇସାରାରେ ଦୁଷ୍କର୍ମ ହୋଇଥିବା ନେଇ ପୀଡ଼ିତା ବୟାନ ଦେଇଥିବାବେଳେ ଏହାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ଅଭିଯୁକ୍ତକୁ ପୁଲିସ ଶାସକ ଦଳର ପ୍ରରୋଚନାରେ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଛି।

ସମ୍ପୃକ୍ତ ବସ ଡ୍ରାଇଭର ନରେନ୍ଦ୍ର ଶବର କଳାହାଣ୍ଡି ବିଜେଡି ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରବୋଧ କୁମାର ରଥଙ୍କ ସୁଭଦ୍ରା ବସର ଡ୍ରାଇଭର ଅଛି, ଏଣୁ ତାକୁ ସରକାରୀ ସାକ୍ଷୀ କରି ପୁଲିସ ଏହି ଘଟଣାରୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ଆଣିଥିଲା ବିଜେପି।