ଜୁନାଗଡ଼ ଭୁବନେଶ୍ୱର ଟ୍ରେନ ଗତିପଥ ପରିବର୍ତ୍ତନକୁ ନେଇ ଜନ ଅସନ୍ତୋଷ

କୋରାପୁଟ,ଏନ୍ଏନ୍ଏସ୍: ଜୁନାଗଡ଼ ଭୁବନେଶ୍ୱର ଟ୍ରେନ ଗତିପଥ ପରିବର୍ତ୍ତନକୁ ନେଇ ଦ୍ୱନ୍ଦ୍ୱ। ଭୁବନେଶ୍ୱର ଜୁନାଗଡ଼ ଏକ୍ସପ୍ରେସକୁ ରାୟଗଡ଼ା ବଦଳରେ ସମ୍ବଲପୁର ଦେଇ ଚଳାଇବାକୁ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସିଟିଜେନ୍‌ ଫୋରମ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଅନୁରୋଧ କରାଯାଇଥିଲା। ଏ ନେଇ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଥିଲେ। ଏହି ଚିଠିରେ ଜୁନାଗଡ଼ ଭୁବନେଶ୍ୱର ଟ୍ରେନ ପାଇଁ ଦୁଇଟି ବିକଳ୍ପ ରହିଛି। ତେବେ ପ୍ରଥମ ବିକଳ୍ପ ରାୟଗଡ଼ାର ଭାୟା ବିଜୟ ନଗରମ୍ ଏବଂ ଦ୍ୱିତୀୟଟି ରାୟଗଡ଼ା, ଟିଟିଲାଗଡ଼, ସମ୍ବଲପୁର ଓ କଟକ।

ଦ୍ୱିତୀୟ ବିକଳ୍ପଟି ଗ୍ରହଣୀୟ ବୋଲି ଦର୍ଶାଯାଇ ଏଥିରେ ପଶ୍ଚିମ ଓଡ଼ିଶାର ସମସ୍ତ ଯାତ୍ରୀ ଉପକୃତ ହେବେ ବୋଲି ଫୋରମ ପକ୍ଷରୁ କୁହାଯାଇଥିଲା। ଏ ନେଇ କୋରାପୁଟ ଜିଲ୍ଲାରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ନିଷ୍ପତ୍ତିର ପ୍ରତିବାଦ କରିବା ସହିତ ଟ୍ରେନର ଗତିପଥ ନ ବଦଳାଇବାକୁ କୋରାପୁଟ ସାଂସଦ ସତ୍ୟଗିରି ଉଲାକା ଓ ଭାଷ୍କର ରାଓ ରେଳମନ୍ତ୍ରୀ ଏବଂ ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।