ରାଷ୍ଟ୍ରୀୟ ଲୋକ ଅଦାଲତରେ ୮୦ଟି ମାମଲାର ଫଇସଲା

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ମାମଲାର ବିଚାର ହୋଇଛି । ରାଜସ୍ୱ, ଦୁର୍ଘଟଣାଜନିତ ସହାୟତା, ବୈବାହିକ ବିବାଦ, ବ୍ୟାଙ୍କ ଟଙ୍କା ଆଦାୟ ଓ ବିଭିନ୍ନ ସରକାରୀ ଶୁଳ୍କ ଆଦି ୬୫୩ଟି ମାମଲା ମଧ୍ୟରୁ କୋର୍ଟ ୮୦ଟିରେ ଚୂଡ଼ାନ୍ତ ରାୟ ପ୍ରଦାନ କରିଛନ୍ତି । ଏନେଇ ମୋଟ ୨୪ଲକ୍ଷ ୧୦ହଜାର ୪୭ ଟଙ୍କାର ସେଟଲମେଣ୍ଟ ହୋଇଛି । ଏନେଇ ଅତିରିକ୍ତ ଜିଲ୍ଲା ଦୌରା ଏବଂ ସେସନ ଜଜ ରାଜକିଶୋର ମହାପାତ୍ର, ଆଇନଜୀବୀ କିଶୋର ଚନ୍ଦ୍ର ପଣ୍ଡା, ସିଭିଲ ଜଜ ରମାକାନ୍ତ ମହାନ୍ତି, ଆଇନଜୀବୀ ରାଧେଶ୍ୟାମ ଅଗ୍ରୱାଲ, ଏସଡିଜେଏମ ଅନ୍ନପୂର୍ଣ୍ଣା ଷଡ଼ଙ୍ଗୀ, ମନୋଜ ହାତି, ଜେଏମଏଫସି ଅଭିନନ୍ଦନ ରାୟ ଓ ଆଇନଜୀବୀ ଜୟନ୍ତ ପଣ୍ଡାଙ୍କୁ ନେଇ ଗଠିତ ୪ଟି ବେଞ୍ଚରେ ମାମଲାଗୁଡ଼ିକର ବିଚାର ହୋଇଥିଲା । ଏଥିରେ ସମସ୍ତ କୋର୍ଟ କର୍ମଚାରୀ ସହାୟତା କରିଥିଲେ ।