ଇସ୍ପାତ କାରଖାନା ପାଇଁ କଞ୍ଚାମାଲ ସୁରକ୍ଷା ଦାବିକଲେ ନବୀନ ଜିନ୍ଦଲ

ଭୂବନେଶ୍ୱର,ଏନ୍ଏନ୍ଏସ୍: ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିଃ(ଜେଏସପିଏଲ)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଶନିବାର ଲୋକସେବା ଭବନ ଠାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ କୁମାର ତ୍ରିପାଠୀ ଏବଂ ଇସ୍ପାତ ଓ ଖଣିବିଭାଗ, ଶିଳ୍ପବିଭାଗ, ଜଳସଂପଦ ବିଭାଗ ଓ ଅନ୍ୟାନ୍ୟ ସଚିବମାନଙ୍କ ସହ ଆଲୋଚନା କରି ଇସ୍ପାତ କାରଖାନା ନିମନ୍ତେ କଞ୍ଚାମାଲ ସୁରକ୍ଷା ପାଇଁ ଦାବି କରିଛନ୍ତି। ଏହା ସହିତ ଲୁହା ପଥର ଖଣି ନିଲାମରେ ରାଜ୍ୟରେ ଇସ୍ପାତ କାରଖାନା ପ୍ରତିଷ୍ଠା କରିଥିବା କମ୍ପାନୀମାନଙ୍କୁ ଅଗ୍ରାଧିକାର ଦେବା ନିମନ୍ତେ ମଧ୍ୟ ସେ ଦାବି କରିଥିଲେ ।

ଯେଉଁ କମ୍ପାନୀଗୁଡିକ ଓଡିଶାରେ ହଜାର ହଜାର କୋଟି ନିବେଶ କରି ଇସ୍ପାତ କାରଖାନା କରିବା ସହିତ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି, ସେମାନଙ୍କୁ ଲୁହା ପଥର ଖଣି ନିଲାମରେ ଅଗ୍ରାଧିକାର ଦେବା ଆବଶ୍ୟକ ବୋଲି ଶ୍ରୀ ଜିନ୍ଦଲ କହିଥିଲେ। ଲୁହାପଥର ଖଣିକୁ ପ୍ରଥମେ କାପ୍ଟିଭ୍ ବ୍ୟବହାର ନିମନ୍ତେ ଦେବାପରେ ମର୍ଚ୍ଚାଣ୍ଟ ମାଇନିଂ ପାଇଁ ଦେବା ପାଇଁ ଅନୁରୋଧ କରିଛନ୍ତି ବୋଲି ଶ୍ରୀ ଜିନ୍ଦଲ କହିଥିଲେ।

 ସୁନ୍ଦରଗଡର ଟେନ୍ସା ଠାରେ ଥିବା ଏକ ଛୋଟ ଲୁହାପଥର ଖଣି

ଓଡିଶାରେ ଜେଏସପିଏଲ ପକ୍ଷରୁ ୪୭୦୦୦ କୋଟି ଟଙ୍କା ନିବେଶ କରାଯାଇ ରାଜ୍ୟର ସର୍ବବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯାଇଛି। ହେଲେ କମ୍ପାନୀ ପାଖରେ କେବଳ ସୁନ୍ଦରଗଡର ଟେନ୍ସା ଠାରେ ଏକ ଛୋଟ ଲୁହାପଥର ଖଣି ଅଛି, ଯାହା ସରିବାକୁ ବସିଲାଣି। ଓଡିଶାରେ ତାଙ୍କ ନିବେଶର ସଫଳତା ନିମନ୍ତେ କଞ୍ଚାମାଲ ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ।

ପ୍ରତି ମାସରେ ଜେଏସପିଏଲ୍ ପ୍ରାୟ ଏକ ନିୟୁତ ଟନ୍ ଲୁହାପଥର ଓଡିଶାରୁ କିଣୁଛି, ଯାହା ଫଳରେ ଜେଏସପିଏଲ ବର୍ତ୍ତମାନ ରାଜ୍ୟର ସର୍ବବୃହତ ଲୁହା ପଥରକ୍ରେତା। ଆନ୍ତର୍ଜାତୀୟ ବଜାରରେ ଇସ୍ପାତର ଦାମ୍ ହ୍ରାସ ପାଉଥିବାରୁ ଲୁହାପଥରର ଦାମ ମଧ୍ୟ ହ୍ରାସ ପାଇବା ଆବଶ୍ୟକ ବୋଲି ସେ କହିଥିଲେ। ଇସ୍ପାତର ଦାମ୍ ଏବେ ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଥିବାବେଳେ ଲୁହା ପଥରର ଦାମ ସେହି ଅନୁସାରେ କମ୍ ହୋଇନାହିଁ। କୋଇଲାର ମୂଲ୍ୟ ମଧ୍ୟ କମ୍ ହୋଇନାହିଁ। ରାଜ୍ୟରେ ନିବେଶ କରିଥିବା କମ୍ପାନୀମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ।

ଶ୍ରୀଜିନ୍ଦଲ ଶନିବାର ଶିଳ୍ପ ବିଭାଗ କମିଶନର ତଥା ସେକ୍ରେଟାରୀ (ଶିଳ୍ପ) ହେମନ୍ତ ଶର୍ମା, ପ୍ରିନ୍ସିପାଲ୍ ସେକ୍ରେଟାରୀ(ଗୃହ) ସଂଜିବ୍ ଚୋପ୍ରା, ଓଡିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଭିନିଲ୍ କ୍ରୀଷ୍ଣା, ଡେଭେଲପ୍ମେଣ୍ଟ କମିଶନର ତଥା ଆଡିସିନାଲ ଚିଫ୍ ସେକ୍ରେଟାରୀ ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରିନ୍ସିପାଲ୍ ସେକ୍ରେଟାରୀ(ଜଙ୍ଗଲ ଓ ପରିବେଶ) ମୋନା ଶର୍ମା, ଆଡିସିନାଲ ଚିଫ୍ ସେକ୍ରେଟାରୀ(ଷ୍ଟିଲ୍ ଆଣ୍ଡ୍ ମାଇନ୍ସ) ଆର.କେ. ଶର୍ମା, ଚିଫ୍ ଆଡଭାଇଜର (ସ୍ପେସାଲ ଇନିସିଏଟିଭ୍) ଆର୍. ବାଲକ୍ରୀଷ୍ଣନ୍, କମିଶନର ତଥା ସେକ୍ରେଟାରୀ(ଜଳସଂପଦ) ବିଶାଲ ଗଗନ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରିମାନଙ୍କୁ ସାକ୍ଷାତ କରିଥିଲେ।