ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ୬ଟି ଜିଲ୍ଲାରେ ବିଜେପିର ନିଜସ୍ୱ କାର୍ଯ୍ୟାଳୟ ଖୋଲିବାକୁ ଯାଉଛି। ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି କାର୍ଯ୍ୟାଳୟକୁ ଉଦଘାଟନ କରିବେ। ପୂର୍ବାହ୍ନ ୧୧ଟା ସମୟରେ ଡିଜିଟାଲ ମିଡିଆ ମାଧ୍ୟମରେ ଜିଲ୍ଲାର ଏହି ଦଳୀୟ କାର୍ଯ୍ୟାଳୟଗୁଡିକୁ ଶ୍ରୀନଡ୍ଡା ଉଦଘାଟନ କରିବେ ବୋଲି ଜଣାପଡିଛି। ସୂଚନା ଅନୁସାରେ, ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ମଙ୍ଗଳବାର ସୁନ୍ଦରଗଡ, ବରଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ବାରିପଦାଠାରେ ଦଳୀୟ କାର୍ଯ୍ୟାଳୟକୁ ଉଦଘାଟନ କରିବେ। ଏହି ଅବସରରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାଏକ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ଦଳର ନେତା ଓ କର୍ମୀମାନେ ଉପସ୍ଥିତ ରହିବେ। କୋଭିଡ ନିୟମ ଅନୁସାରେ କାର୍ଯ୍ୟାଳୟର ଉଦଘାଟନ ଉତ୍ସବ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ବିଜେପିର ବରିଷ୍ଠ ନେତା ତଥା କେନ୍ତ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଦଳର ରାଷ୍ଟ୍ରୀୟ ସଭାପତି ଥିବା ବେଳେ ଦେଶର ପ୍ରତ୍ୟେକଟି ଜିଲ୍ଲାରେ ବିଜେପିର ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏସବୁ ଜିଲ୍ଲା କାର୍ଯ୍ୟାଳୟକୁ ଦିଲ୍ଲୀରେ ଥିବା ଦଳର ମୁଖ୍ୟ କାର୍ଯ୍ୟାଳୟ ସହ ଅନଲାଇନରେ ମାଧ୍ୟମରେ ଯୋଡିବା ନିମନ୍ତେ ମଧ୍ୟ ଆବଶ୍ୟକ ବ୍ୟବସ୍ଥା ହୋଇଥିବା ଜଣାପଡିଛି।