ଆଜିଠୁ ଆରମ୍ଭ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ,ଏନ୍ଏନ୍ଏସ୍: ଆଜି ଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା। ଏହି ମେଳା ମହିମା ଧର୍ମ ପ୍ରଚାରର ସବୁଠାରୁ ବୃହତ୍ ଉଦାହରଣ। ଶହ ଶହ ବର୍ଷ ଧରି ଢେଙ୍କାନାଳ ଯୋରନ୍ଦା ମଠରେ ଏହି ମେଳା ଅନୁଷ୍ଠିତ ହୋଇ ଆସୁଅଛି।

ଦେଶ ବିଦେଶକୁ ଅନେକ ସାଧୁସନ୍ଥ ଏହି ମେଳାରେ ଯୋଗ ଦେଇ ଶୂନ୍ୟ ମନ୍ଦିର ଓ ମହିମା ଧର୍ମର ପ୍ରଚାର କରିଥାନ୍ତି। ପ୍ରତିବର୍ଷ ମାଘ ଚତୁର୍ଦ୍ଦଶୀ ଠାରୁ ଏହି ମେଳା ଆରମ୍ଭ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଆଜି ମାଘ ଚତୁର୍ଦ୍ଦଶୀ ଠାରୁ ଏହି ମେଳା ଆରମ୍ଭ ହୋଇଛି ଏବଂ ଆସନ୍ତା ୩ ଦିନ ଧରି ଚାଲିବ ଏହି ମେଳା।

ଚଳିତ ବର୍ଷ କିନ୍ତୁ ଶହ ଶହ ବର୍ଷର ଏହି ଯୋରନ୍ଦା ମେଳାକୁ ଫିକା କରିପାରେ କରୋନା କଟକଣା। ସମସ୍ତ କରୋନା କଟକଣା ମଧ୍ୟରେ ମେଳା ଆୟୋଜନ ପାଇଁ ଅନୁମତି ମିଳିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ, କଣ୍ଢେଇ ନାଚ, ସିନେମା ଓ ଯାତ୍ରା ଭଳି କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। କେବଳ ପରମ୍ପରା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି। ଏଥି ସହିତ ବାହାରୁ ଆସୁଥିବା ସାଧୁସନ୍ଥଙ୍କ ଉପରେ ମଧ୍ୟ କଟକଣା ରହିଛି।

ତେବେ ଆଜି ପ୍ରଥମ ଦିନରେ ମୁଖ୍ୟ ଗାଦି ମନ୍ଦିରରେ ୪ଟି ଦ୍ୱାର ସମ୍ମୁଖରେ ୩୦ ଫୁଟ ଉଚ୍ଚର ପିତଳ ଝାଡ଼ବତୀ ଜଳିବ। ମହିମା ଧର୍ମରେ କୌଣସି ଦେବାଦେବୀଙ୍କୁ ପୂଜା କରାଯାଏ ନାହିଁ। ସତ୍ୟରେ ଆଧାରିତ ସୂର୍ଯ୍ୟ ଅଗ୍ନିଙ୍କୁ ସେମାନେ ପୂଜା କରିଥାନ୍ତି।