ଯାତ୍ରା ଜଗତର ଭିକୁ ସେଠ୍ ଆଉ ନାହାନ୍ତି

କଟକ : ଓଡିଆ ଯାତ୍ରା ଜଗତର ପ୍ରଥମ ସୁପରଷ୍ଟାର ଖଳନାୟକ ଭିକୁ ସେଠ୍ ଓରଫ୍ ମହେନ୍ଦ୍ର ଦାସ ଆଉ ନାହାନ୍ତି। ୫୫ବର୍ଷ ବୟସରେ ଯାତ୍ରା ଜଗତର ଏହି ଉଜ୍ୱଳ ତାରକାଙ୍କ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭିକୁ ସେଠ୍ ଭାବେ ବିଂଶ ଶତାବ୍ଦୀର ଶେଷ ଦଶକର ପ୍ରଥମରୁ ଓଡ଼ିଆ ଯାତ୍ରା ଜଗତରେ ଖଳନାୟକ ଚରିତ୍ରକୁ ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇଥିଲେ ମହେନ୍ଦ୍ର ଦାସ।

ସୂଚନା ଅନୁଯାୟୀ ଚୌଦ୍ୱାର ଲେବର ଟୂର୍ଣ୍ଣାମେଣ୍ଟ କଲୋନୀସ୍ଥିତ ବାସଭବନରେ ସେ ଆଜି ଅସୁସ୍ଥତା ଅନୁଭବ କରିବାରୁ ତାକୁ ତୁରନ୍ତ କଟକ ବଡମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ପରେ ସମଗ୍ର ଯାତ୍ରା ଜଗତ ସ୍ତବ୍ଧ ହୋଇଯାଇଛି। ଏଥିସହ ଚୌଦ୍ୱାର ମାଟି ମଧ୍ୟ ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇ ଶୋକରେ ବୁଡ଼ିଯାଇଛି। ପୁରୀ ଜିଲ୍ଲା ଚନ୍ଦନପୁରର କୁସପଦା ଗ୍ରାମ ସ୍ୱର୍ଗତଃ ହରିହର ଦାସ ଓ ମାତା ନେତ୍ରମଣୀ ଦାସଙ୍କ କୋଳମଣ୍ଡନ କରିଥିବା ମହେନ୍ଦ୍ର ଯାତ୍ରା ଜଗତରେ ପ୍ରବେଶ କରିଥିଲେ। ପରେ ଗତ ୩୦ବର୍ଷ ହେଲା ସେ ଚୌଦ୍ୱାରର ସ୍ଥାୟୀ ଭାବେ ପରିବାର ସହ ରହିଆସୁଥିଲେ। ଓଡ଼ିଆ ଯାତ୍ରା ଜଗତରେ ବହୁ ଅନୁଷ୍ଠାନ ସହ ସେ ଜଡ଼ିତଥିଲେ।

ଜନତା ଗଣନାଟ୍ୟର ନାଟକ “ଶାଗୁଣା ବସିଛି ଡେଣା ମେଲାଇ” ନାଟକରେ ଭିକୁ ସେଠ୍ ଚରିତ୍ରକୁ ଜୀବନ୍ତ ଭାବେ ଗଢ଼ିତୋଳି ଓଡ଼ିଆ ଯାତ୍ରା ଜଗତରେ ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଥିଲେ। ସେ ପ୍ରଥମ ଖଳନାୟକ ହିସାବରେ ସୁପରଷ୍ଟାରର ଆଖ୍ୟା ପାଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଚୌଦ୍ୱାର ଲେବର ଟେନାମେଣ୍ଟ କଲୋନୀସ୍ଥିତ ବାସଭବନକୁ ଆସି ଶେଷ ଦର୍ଶନ କରିଥିଲେ। ଏତେବଡ଼ କଳାକାର ହୋଇଥିଲେ ମଧ୍ୟ ଚୌଦ୍ୱାରର ବହୁ ସାଂସ୍କୃତିକ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିଥିଲେ। ଜଣେ ଆମାୟିକ ଓ ସାଧାସିଧା ପ୍ରକୃତିର ମଣିଷ ଥିଲେ ମହେନ୍ଦ୍ର। ତାଙ୍କର ପତ୍ନୀ ହର୍ଷମଣି ଦାସ ଓ ୩ଟି ଝିଅ ଅଛନ୍ତି।