ଏଟିପି ର‌୍ୟାଙ୍କିଙ୍ଗ୍‌: ଶୀର୍ଷରେ ଜୋକୋଭିଚ୍ କାଏମ୍‌

ପ୍ୟାରିସ୍‌,ଏଜେନ୍ସି: ସୋମବାର ସଦ୍ୟ ଘୋଷିତ ଏଟିପି ର‌୍ୟାଙ୍କିଙ୍ଗ୍‌ରେ ସର୍ବିୟାର ନୋଭାକ୍ ଜୋକୋଭିଚ୍ ଏକ ନମ୍ବର ସ୍ଥାନରେ କାଏମ ରହିଛନ୍ତି। ସେହିପରି ରୁଷିଆର ଡାନଲ୍ ମେଡଭେଡେଭ୍ ଓ ଜର୍ମାନୀର ଆଲେକ୍‌ଜାଣ୍ଡର୍ ଜ୍ୱେରେଭ୍ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ଶୀର୍ଷ ୧୦ରେ କୌଣସି ପରିବର୍ତ୍ତନ ହୋଇ ନଥିବା ବେଳେ ନବମ ସ୍ଥାନରେ ରହିଥିବା କାନାଡାର ଫେଲିକ୍ସ ଆଗର୍‌-ଆଲିସାଇମ୍ ଗତ ରବିବାର ରୋଟରଡାମ୍‌ଠାରେ ଏଟିପି ଟାଇଟଲ୍ ହାସଲ କରିବା ପରେ ଅଷ୍ଟମ ସ୍ଥାନ ନିକଟତର ହୋଇଛନ୍ତି।

ସେହିପରି ଆମେରିକାର ଟେଲର୍ ଫ୍ରିଜ୍ ଡାଲାସ୍ ଓପନ୍‌ରେ କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟନ୍ତ ଯିବା ଫଳରେ ଦୁଇଟି ସ୍ଥାନରେ ଉନ୍ନତି ଘଟାଇ ସପ୍ତଦଶ ସ୍ଥାନରେ ପହଞ୍ଚିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ୍ ଚାମ୍ପିଅନ୍ ରିଲି ଓପେଲ୍‌କା ୩ଟି ସ୍ଥାନ ଉପରକୁ ଉଠି ଶୀର୍ଷ ୨୦ ଖେଳାଳି ସୂଚୀରେ ପ୍ରବେଶ କରିଛନ୍ତି।