ପ୍ୟାରିସ୍,ଏଜେନ୍ସି: ଆସନ୍ତା ସୋମବାରଠାରୁ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଅଷ୍ଟ୍ରେଲିଆନ୍ ଓପନ୍ ଖେଳାଯିବାକୁ ଥିବା ବେଳେ ଆରମ୍ଭ ପୂର୍ବରୁ ଏହା ଖବର ଶିରୋନାମାରେ ରହିଛି। ଏହି ଟୁର୍ଣ୍ଣାମେଣ୍ଟ୍ରେ ୭ ଥର ଚାମ୍ପିଅନ୍ ହୋଇଥିବା ସର୍ବିୟାର ଏକ ନମ୍ବର ଖେଳାଳି ନୋଭାକ୍ ଜୋକୋଭିକଙ୍କୁ ଏହି ଟୁର୍ଣ୍ଣାମେଣ୍ଟ୍ରେ ଭାଗ ନେବା ସକାଶେ ସ୍ଥାନୀୟ ସରକାର ଅନୁମତି ଦେଇନାହାନ୍ତି।
ମେଲବର୍ଣ୍ଣ ଇଭେଣ୍ଟ୍ରେ ଭାଗ ନେବା ସକାଶେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ ହେଁ କୋଭିଡ୍ର ଡବଲ୍ ଡୋଜ୍ ନେଇ ନ ଥିବାରୁ ଦେଶର କୋଭିଡ୍ ପ୍ରୋଟୋକଲ୍ ଅନୁସାରେ ଜୋକୋଭିଚ୍ଙ୍କୁ ଡିଟେକ୍ସନ୍ ପ୍ରକୋଷ୍ଠରେ ରଖାଯାଇଛି। ଏହାକୁ ନେଇ ସର୍ବିୟା ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ ଜୋକୋଭିକଙ୍କ ପିତା ଓ ପରିବାର ସଦସ୍ୟମାନେ ତାଙ୍କୁ ଅଷ୍ଟ୍ରେଲିଆ ସରକାର ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। ଏପରି ସ୍ଥିତିରେ ଏହି ତାରକା ଖେଳାଳି ରେକର୍ଡ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ରେ ଭାଗ ନେଇପାରିବେ କି ନାହିଁ, ନେଇ ଘୋର ଅନିଶ୍ଚିତତା ରହିଛି। କିନ୍ତୁ ସିଜନ୍ର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଫ୍ରେଞ୍ଚ୍ ଓପନ୍ରେ ଏହି ଖେଳାଳିଙ୍କୁ ଭାଗନେବାର ସମ୍ପୂର୍ଣ୍ଣ ସୁଯୋଗ ମିଳିବ ବୋଲି ଦେଶର କ୍ରୀଡ଼ା ମନ୍ତ୍ରୀ ରୋକ୍ସେନ୍ ମାରାସିଆନୁ କହିଛନ୍ତି। ଆସନ୍ତା ମେ’ ୧୬ରୁ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ୍ରେ କୋଭିଡ୍ ଟିକା ନେଇ ନ ଥିବା ଖେଳାଳିଙ୍କ ଅଂଶଗ୍ରହଣ ଉପରେ କୌଣସି ରୋକ ନାହିଁ।
ତା’ଛଡ଼ା ଫ୍ରାନ୍ସ ସୀମାରେ ମଧ୍ୟ କୌଣସି ଟିକା ନେଇ ନ ଥିବା ବ୍ୟକ୍ତିବିଶେଷ ପ୍ରବେଶ କରିପାରିବେ। ଅବଶ୍ୟ ଦେଶରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ଟିକା ନେଇ ନ ଥିବା ବ୍ୟକ୍ତିଙ୍କ ତୁଳନାରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି। କିନ୍ତୁ ଇଣ୍ଟରନ୍ୟାସନାଲ୍ ଟେନିସ୍ ଫେଡେରେସନ୍ (ଆଇଟିଏଫ୍) ପ୍ରୋଟୋକଲ୍ରେ ମଧ୍ୟ ରୋଲାଣ୍ଡ୍ ଗ୍ୟାରୋସ୍ ଇଭେଣ୍ଟ୍ରେ ଭାଗ ନେବା ପାଇଁ କୌଣସି ଖେଳାଳିଙ୍କୁ କୋଭିଡ୍ ଟିକାର ଡବଲ୍ ଡୋଜ୍ ନେବା ବାଧ୍ୟତାମୂଳକ ନୁହେଁ। ଜୋକୋଭିଚ୍ କୋଭିଡ୍ ଟିକା ନେଇ କୌଣସି ସୂଚନା ଦେବାକୁ ଅମଙ୍ଗ ହୋଇଆସିଥିବାରୁ ତାଙ୍କୁ ଅଷ୍ଟ୍ରେଲିଆ ସରକାର ଭିସା ଦେବାକୁ ମନା କରିଦେଇଛନ୍ତି। ଫଳରେ ଜୋକୋଭିକ ଆଇନର ସହାୟତା ନେଇଛନ୍ତି ଓ ଆସନ୍ତା ସୋମବାର ପୂର୍ଣ୍ଣାଙ୍ଗ ଶୁଣାଣି ହେବା ପର୍ଯ୍ୟନ୍ତ ଏହି ତାରକା ଖେଳାଳିଙ୍କୁ ଡିଟେନ୍ସନ୍ ପ୍ରକୋଷ୍ଠରେ ରହିବାକୁ ସୁଯୋଗ ଦେବା ସପକ୍ଷରେ ନିର୍ଦ୍ଦେଶ ଦେଇସାରିଛନ୍ତି।