ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଅଶୋକ ମେହେଟ୍ଟା ସଭା ଗୃହରେ ଆଜି ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଜିଲ୍ଲାପାଳଙ୍କୁ ଭେଟି ନିଜ ନିଜର ବ୍ୟକ୍ତିଗତ ଓ ସାମୂହିକ ଆପତ୍ତି ଅଭିଯୋଗ ଜଣାଇବା ପାଇଁ ଆସିଥିବା ୬୦ ଜଣଙ୍କର ନାମ ପଞ୍ଜୀକରଣ କରାଯାଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଆପତ୍ତି ଅଭିଯୋଗ ୫୦ଟି ରହିଥିବାବେଳେ ୧୦ଟି ସାମୂହିକ ରହିଥିଲା । ଏଥିରେ ଜମି ବିବାଦ, ପାରିବାରିକ ବିବାଦ, ଜମି ଜବରଦଖଲ, ପ୍ରଧାନମନ୍ତ୍ରୀ ଆବାସ, କମ୍ୟୁନିଟି ହଲ୍ ନିର୍ମାଣ, ରାସ୍ତା ନିର୍ମାଣ, ନିଯୁକ୍ତି, ଜମି ଅଧିଗ୍ରହଣ ଅନୁକମ୍ପା ରାଶି, ଡାକ୍ତରୀ ଚିକିତ୍ସା ପାଇଁ ଆର୍ôଥକ ସହାୟତା, ଫସଲ ନଷ୍ଟର ସହାୟତା ଓ ଦସରାପଦା ରାସ୍ତାକାମ ବର୍ଷା ଦିନରେ ବନ୍ଦ ରଖିବା ଇତ୍ୟାଦିର ଆପତ୍ତି ଅଭିଯୋଗ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ଶୁଣାଣି କରି ଏହାର ସମାଧାନର ଆବଶ୍ୟକ ପଦକ୍ଷେପ ତୁରନ୍ତ ନେବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶିବିରରେ ୭ଟି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ୩ ଜଣଙ୍କୁ ବିବାହକାଳୀନ ସହାୟତା ରାଶି ବାବଦକୁ ପ୍ରତ୍ୟେକଙ୍କୁ ୨ଲକ୍ଷ ୫୦ ହଜାର ଟଙ୍କା ସମୁଦାୟ ୭ଲକ୍ଷ ୫୦ ହଜାର ଟଙ୍କାର ଚେକ୍ ଜିଲ୍ଲାପାଳ ଡା. ମିଶ୍ରଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀ, ମୁଖ୍ୟ ଉନ୍ନୟନ୍ନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅନ୍ୟା ଦାସ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଓ ଡିଇଓ ପ୍ରଦୀପ କୁମାର ନାଗଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।